ରେଙ୍ଗାଳି ପ୍ରକଳ୍ପ ମହାବିଦ୍ୟାଳୟରେ ପାଠପଢ଼ାରେ ଅବ୍ୟବସ୍ଥା: ଅତିଥି ଅଧ୍ୟାପକରେ ଚାଲିଛି ପାଠପଢ଼ା

67

କନକ ବ୍ୟୁରୋ: ବିନା ଅଧ୍ୟାପକରେ ଚାଲିଛି ପାଠପଢ଼ା । ଅନୁଗୁଳ ରେଙ୍ଗାଳି ପ୍ରକଳ୍ପ ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଗୋଟିଏ ଶ୍ରଣୀ ଗୃହରେ ବିଜ୍ଞାନ ଓ କଳା ଛାତ୍ରଛାତ୍ରୀ ପାଠପଢ଼ୁଥିବା ବେଳେ ସବୁ ବିଭାଗରେ ପଡ଼ିଛି ତାଲା । ପ୍ରଶାସନର ଆନ୍ତରିକତା ଅଭାବରୁ ପାଳଲହଡା ନିର୍ବାଚନ ମଣ୍ଡଳୀ କଣିହାଁ ବ୍ଲକର ସର୍ବ ପୁରାତନ ରେଙ୍ଗାଳି ଯୁକ୍ତ ଦୁଇ କଳା ଓ ବିଜ୍ଞାନ ମହାବିଦ୍ୟାଳୟରେ ୨୦୧୪ ମସିହାରୁ ଅଚଳାବସ୍ଥା ଲାଗିରହିଛି । ୧୯୮୩ ମସିହାରେ ଖୋଲିଥିବା ଏହି କଲେଜ ଜଳ ସଂପଦ ବିଭାଗ ଅଧିନରେ ରହିଛି । ଜଳ ସଂପଦ ବିଭାଗ ଅଧ୍ୟକ୍ଷ, ଅଧ୍ୟାପକ, କର୍ମଚାରୀଙ୍କୁ ନିଯୁକ୍ତି ଦେଇ ଦରମା ଦେଉଛନ୍ତି । ଯେଉଁମନେ ଅବସର ଗ୍ରହଣ କରୁଛନ୍ତି, ତାଙ୍କ ଜାଗାରେ ପଦବୀ ପୁରଣ ହୋଇପାରୁନଥିବାରୁ ପର୍ଯ୍ୟୟ କ୍ରମେ ଅବସର ଗ୍ରହଣ କରିଥିବା ପଦବୀ ଖାଲି ପଡ଼ିଛି ।

ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ସମସ୍ୟା ଲାଗି ରହିଥିବା ବେଳେ ଛାତ୍ର ଛାତ୍ରୀ ସଂଖ୍ୟା ମଧ୍ୟ ବହୁତ କମ୍ ରହିଛି । ଆଶ୍ଚର୍ଯ୍ୟର କଥା, ଗୋଟିଏ ଶ୍ରେଣୀରେ ବସୁଛନ୍ତି ବିଜ୍ଞାନ ଓ କଳା ଛାତ୍ର ଛାତ୍ରୀ । ସମସ୍ତ ଲାବୋରେଟୋରିରେ ତାଲା ଝୁଲୁଛି । ଜଳ ସଂପଦ ବିଭାଗ ତରଫରୁ ଚୁକ୍ତିଭିତିକ କେତେକ ହାତଗଣତି ନିଯୁକ୍ତି ପାଇଥିବା ଅତିଥି ଅଧ୍ୟାପକ ବେଳେ ବେଳେ ପାଠପଢାଇବାକୁ ଆସୁଛନ୍ତି । ଦୀର୍ଘ ବର୍ଷ ହେଲା ଜଳସଂପଦ ବିଭାଗରୁ ଏହି କଲେଜ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର ହୋଇ ପାରୁନଥିବାରୁ ଅଧ୍ୟାପକଙ୍କ ଅବସର ପରେ ପଦବୀ ପୂରଣ ହୋଇପାରୁନଥିବା କୁହାଯାଉଛି । ବର୍ତମାନ କଲେଜରେ କେବଳ ଜଣେ ଲାବୋରେଟୋରି ଆସିଷ୍ଟାଣ୍ଡ ଓ ଜଣେ ଲାଇବ୍ରେରିଆନ ଥିବା ଜଣାପଡ଼ିଛି ।