ଦିଲ୍ଲୀ ହାଇକୋର୍ଟଙ୍କ ରାୟ, ସମସ୍ତ କେନ୍ଦ୍ରୀୟ ସୁରକ୍ଷାବଳର କର୍ମଚାରୀଙ୍କୁ ମିଳିବ ପୁରୁଣା ପେନସନର ଲାଭ

1,381

କନକ ବ୍ୟୁରୋ : କେନ୍ଦ୍ରୀୟ ସୁରକ୍ଷାବଳର ସମସ୍ତ କର୍ମଚାରୀଙ୍କୁ ମିଳିବ ପୁରୁଣା ପେନସନର ଲାଭ । ଦିଲ୍ଲୀ ହାଇକୋର୍ଟଙ୍କ ତରଫରୁ ଏନେଇ ଆଦେଶ ଜାରି କରାଯାଇ କେନ୍ଦ୍ର ସରକାରଙ୍କୁ କୁହାଯାଇଛି କି, ୮ ସପ୍ତାହ ମଧ୍ୟରେ ଏନେଇ ଜରୁରୀ ନିର୍ଦ୍ଦେଶ ଜାରି କରାଯାଉ । ଦିଲ୍ଲୀ ହାଇକୋର୍ଟରେ ଏନେଇ ଦାଖଲ ହୋଇଥିବା ୮୨ ଟି ଆବେଦନର ଶୁଣାଣି କୋର୍ଟ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି । କୋର୍ଟର ଏହି ନିଷ୍ପତ୍ତିର ଲାଭ ସିଆରପିଏଫ୍, ବିଏସଏଫ୍, ସିଆଇଏସଏଫ ଓ ଆଇଟିବିପି ସମେତ ସମସ୍ତ କେନ୍ଦ୍ରୀୟ ସୁରକ୍ଷାବଳର କର୍ମଚାରୀମାନଙ୍କୁ ମିଳିବ ।

କୋର୍ଟ ତାଙ୍କ ଆଦେଶରେ କହିଛନ୍ତି କି, ନୂଆ ପେନସନ ଯୋଜନା ନେଇ ଜାରି ହୋଇଥିବା ଅଧିସୂଚନାରେ କୁହାଯାଇଥିଲା କି, କେନ୍ଦ୍ରୀୟ ସୁରକ୍ଷାବଳଙ୍କ ବ୍ୟତୀତ ଅନ୍ୟ ସମସ୍ତ କର୍ମଚାରୀ (ଯେଉଁମାନେ ୨୦୦୪ ଜାନୁଆରୀ ପହିଲାରୁ ସରକାରୀ ଚାକିରିରେ ଭର୍ତ୍ତି ହୋଇଛନ୍ତି) ତାଙ୍କ କ୍ଷେତ୍ରରେ ନୂଆ ପେନସନ ଯୋଜନା ଲାଗୁ କରାଯିବ । ହେଲେ ପରେ କୁହାଯାଇଥିଲା କି ସେନା (ଆର୍ମି, ନେଭି ଓ ଏୟାରଫୋର୍ସ) କର୍ମଚାରୀଙ୍କୁ ବି ପୁରୁଣା ପେନସନ ଯୋଜନାର ଲାଭ ମିଳିବ । କୋର୍ଟ ତାଙ୍କ ଆଦେଶରେ କହିଛନ୍ତି କି, ଦେଶର ସୁରକ୍ଷାରେ କେନ୍ଦ୍ରୀୟ ସୁରକ୍ଷାବଳଙ୍କ ଭୂମିକାକୁ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟ ବିଭିନ୍ନ ନିଷ୍ପତ୍ତି ବେଳେ ସହଯୋଗ କରିଛନ୍ତି । ସୁରକ୍ଷାବଳଙ୍କ ପ୍ରତି ସମ୍ମାନକୁ ନଜର ଦେଇ କୋର୍ଟ ଓ ସରକାର ସର୍ବଦା ସୁନିଶ୍ଚିନ୍ତ କରିଛନ୍ତି କି ନୀତିଗତ ନିଷ୍ପତ୍ତି କେବେ ବି ସେମାନଙ୍କ ବିରୋଧରେ ନଯାଉ ।