ନିମାପଡାର ନିଆରା ପରମ୍ପରା । ମା’କାଳୀଙ୍କ ପୂଜାରେ ପଶୁ ନୁହେଁ ଦିଆଯାଉଛି କ୍ଷୀରରେ ପ୍ରସ୍ତୁତ ଖୁଆରେ ନିର୍ମିତ ପଶୁ ବଳି ।

634

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପବିତ୍ର କାର୍ତ୍ତୀକମାସରେ ମା’କାଳୀଙ୍କ ପୂଜା ଦେବୀପୀଠମାନଙ୍କରେ ଅନୁଷ୍ଠିତ ହୋଇଥାଏ । ଶ୍ରଦ୍ଧାଳୁମାନଙ୍କ ମାନସିକ ପୂରଣ ପାଇଁ ବିଭିନ୍ନ ସ୍ଥାନରେ ମା’କାଳୀଙ୍କ ପୀଠରେ ପଶୁବଳି ଦିଆଯାଇଥାଏ । ହେଳେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଧିନ ଭୋଦର ଗ୍ରାମରେ ଘୋଷାଲ ପରିବାର ପକ୍ଷରୁ ନିଆରା ପରମ୍ପରା ମଧ୍ୟରେ ଅନୁଷ୍ଠିତ ହୋଇଥାଏ ମା’କାଳୀଙ୍କ ପୂଜା । ଏଠାରେ ପଶୁ ବଦଳରେ ନିଶାର୍ଦ୍ଧରେ ଦିଆଯାଇଥାଏ କ୍ଷୀରରେ ପ୍ରସ୍ତୁତ ଖୁଆରେ ନିର୍ମୀତ ପଶୁ ବଳି । ଏହି ପରମ୍ପରା ପ୍ରାୟ ୭ଶହ ବର୍ଷ ପ୍ରାଚୀନ ।

ଭୋଦର ଗ୍ରାମର ଘୋଷାଲ ପରିବାରୁ ପକ୍ଷରୁ ଅନୁଷ୍ଠିତ ହୋଇ ଆସୁଥିବା ମା’କାଳୀଙ୍କ ପାରମ୍ପରିକ ପୂଜା ବହୁ ପ୍ରାଚୀନ । ଏହି ପରିବାର ପକ୍ଷରୁ ପୁରୁଷାନୁକ୍ରମେ ୧୩୦୭ ମସିହାରୁ ଏହି ପୂଜା ଅନୁଷ୍ଠିତ ହୋଇଆସୁଅଛି । ଏଠାରେ ପୂଜାରେ ଏକ ବ୍ୟତିକ୍ରମ ଦେଖାଯାଏ । ରାଜ୍ୟରେ ଅନ୍ୟ ସମସ୍ତ ସ୍ଥାନମାନଙ୍କରେ ମା’ଙ୍କ ନିକଟରେ ପଶୁ ବଳିଦିଆଯିବାର ପ୍ରଥା ରହିଛି । ହେଲେ ଏଠାରେ ନିଶାର୍ଦ୍ଧରେ ପଶୁ ବଦଳରେ ଦିଆଯାଇଥାଏ ଖୁଆ’ ବଳି । ସେହି ସମୟରେ ବୈଦିକ ଓ ତାନ୍ତ୍ରିକ ମନ୍ତ୍ରରେ ମା’ଙ୍କୁ ପୂଜା କରାଯିବା ସହିତ ଖୁଆରେ ନିର୍ମିତ ଛାଗକୁ ପଶୁ ମନ୍ତ୍ରରେ ଅଭିଭୁତ କରାଯାଇ ବଳିଦିଆଯିବାର ପରମ୍ପରା ପ୍ରଚଳିତ ହୋଇଆସୁଅଛି ।

ଭୋଦର ଗ୍ରାମରେ ଅନୁଷ୍ଠିତ ହେଉଥିବା ପୂଜାରେ ପ୍ରତ୍ୟେକ ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇ ୧୦୮ ଜୟ ଆଳତୀ କରିଥାନ୍ତି । ପ୍ରବାଦ, ଲୋକମତ୍ତ ଅନୁଯାୟୀ କାଳିପୂଜାରେ ମା’ଙ୍କ ନିକଟରେ ୧୦୮ ଜୟ ଆଳତୀ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ସେଥିପାଇଁ ମା’ଙ୍କ ନିକଟରେ ବହୁ ଭକ୍ତ ଆସି ଆଳତି କରିଥାନ୍ତି । କ୍ଷୀରରେ ପ୍ରସ୍ତୁତ ଖୁଆ’ରେ ନିର୍ମିତ ପଶୁ ବଳିରେ ଭୋଦର ଗ୍ରାମର କାଳୀମାତା ସନ୍ତୁଷ୍ଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ଏଠାରେ ପଶୁ ବଳି ବଦଳରେ ଖୁଆ ବଳି ଦିଆଯାଇଥାଏ ।