ଆମେରିକା ନୁହେଁ ଆତଙ୍କବାଦୀ ସଙ୍ଗଠନ ISIS ଉପରେ ପାକିସ୍ତାନ ନେତାଙ୍କ ଅଧିକ ବିଶ୍ୱାସ । ବାଗଦାଦିର ମୃତ୍ୟୁ ନେଇ ପ୍ରଶ୍ନ ଉଠାଇଲେ ପାକିସ୍ତାନର ପୂର୍ବ ଗୃହମନ୍ତ୍ରୀ ।

531

କନକ ବ୍ୟୁରୋ : ଆମେରିକା ଠାରୁ ଆତଙ୍କବାଦୀଙ୍କ ଉପରେ ପାକିସ୍ତାନର ଅଧିକ ବିଶ୍ୱାସ । ବିଶ୍ୱର ୧ ନମ୍ବର ଆତଙ୍କବାଦୀ ତଥା ଆଇଏସଆଇଏସର ମୁଖିଆ ଅବୁ ବକର ଅଲ ବାଗଦାଦୀ ନିପାତ ହେବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ପାକିସ୍ତାନ । ବାଗଦାଦୀ ନିହତ ହେବା ନେଇ ଆମେରିକା ଯେଉଁ ଦମ୍ଭୋକ୍ତି ଦେଖାଉଛି ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି ପାକିସ୍ତାନର ପୂର୍ବ ଗୃହମନ୍ତ୍ରୀ ରେହମାନ ମଲ୍ଲିକ । ତାଙ୍କ କହିବା ଅନୁଯାୟୀ, ବାଗଦାଦିର ମୃତ୍ୟୁ ନେଇ ଏଯାଏଁ ଆଇଏସଆଇଏସ ସ୍ପଷ୍ଟ କରିନାହିଁ ।

ଗତକାଲି ସିରିଆର ଉତ୍ତର ପଶ୍ଚିମ ଅଞ୍ଚଳରେ ଅପରେସନ ଆରମ୍ଭ କରିଥିଲା ଆମେରିକା ସେନା । ଆଉ କିଛି ସମୟର ଖୋଜାଖୋଜି ପରେ ବାଗଦାଦିକୁ ଏକ ସୁଡଙ୍ଗ ମଧ୍ୟରେ ଠାବ କରିଥିଲା ଆମେରିକା ସେନା । ତେବେ ସେନା ହାତରେ ଧରାଦେବା ପୂର୍ବରୁ ବାଗଦାଦି ନିଜ ୩ ପିଲାଙ୍କ ସହ ନିଜକୁ ଆତ୍ମଘାତୀ ବିସ୍ଫୋରଣରେ ଉଡାଇ ଦେଇଥିବା ଆମେରିକା ପକ୍ଷରୁ ଡ୍ରୋନାଲ୍ଡ ଟ୍ରମ୍ପ କହିଥିଲେ ।
ତେବେ ଟ୍ରମ୍ପଙ୍କ କଥାକୁ ବିଶ୍ୱାସ କରୁନାହାନ୍ତି ଆମେରିକାର ପୂର୍ବତନ ଗୃହ ମନ୍ତ୍ରୀ । ନିଜ ଟ୍ୱିଟରେ ରେହମାନ ମଲ୍ଲିକ କହିଛନ୍ତି, ଆମେରିକା ପକ୍ଷରୁ ବାଗଦାଦି ମରିଥିବା ନେଇ ସ୍ପଷ୍ଟ କରାଯାଇଛି । କିନ୍ତୁ ଆଇଏସଆଇଏସ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । କିନ୍ତୁ ଯଦି ବାଗଦାଦିର ମୃତ୍ୟୁ ହୋଇଥାଏ ତେବେ ଭଲ କଥା । ତେବେ ସିରିଆରେ ଯେଉଁଭଳି ଗୃହଯୁଦ୍ଧ ଲାଗି ରହିଛି ସେଠାରେ ଏଭଳି ଭ୍ରମ ଉତ୍ପନ୍ନ ହେବା ସ୍ୱାଭାବିକ । କିନ୍ତୁ ବାସ୍ତବରେ ବାଗଦାଦିର ମୃତ୍ୟୁ ହୋଇଛି କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ ।

ଏହାପୂର୍ବରୁ ବାଗଦାଦିକୁ ୨୦୧୪ରେ ମୋସୁଲ ସହରରେ ସାର୍ବଜନୀନ ଭାବେ ଦେଖିବାକୁ ମିଳିଥିଲା । କିନ୍ତୁ ଏହାପରେ ଆତ୍ମଗୋପନ କରିବା ସହ କେବଳ ଅଡିଓ ଟେପ ମାଧ୍ୟମରେ ବାର୍ତ୍ତା ଦେଇ ଜୀବିତ ଥିବା ପ୍ରମାଣ ଦେଇ ଆସୁଥିଲା ବାଗଦାଦି । କେବଳ ସିରିଆ ନୁହେଁ ଏସିଆ ମହାଦେଶରେ ମଧ୍ୟ ଆଇଏସଆଇଏସ ମାଧ୍ୟମରେ ଆତଙ୍କ ସୃଷ୍ଟି କରିବାକୁ ନକ୍ସା ପ୍ରସ୍ତୁତ କରିଥିଲା ବାଗଦାଦି । କିନ୍ତୁ ଏହି ସ୍ୱପ୍ନ ପୂରଣ ହେବା ପୂର୍ବରୁ ନିପାତ ହୋଇଛି ବାଗଦାଦି ଓ ତାହାର ସାମ୍ରାଜ୍ୟ ।