ଭଲକାମ କଲେ ଡାକ୍ତରଙ୍କୁ ପୁରସ୍କୃତ କରିବେ ସରକାର । ଶ୍ରେଷ୍ଠ ସ୍ୱାସ୍ଥସେବା ଯୋଗାଇଥିବା ଡାକ୍ତରଙ୍କୁ ୧୦ ଲକ୍ଷ, ଅନ୍ୟ କର୍ମଚାରୀଙ୍କୁ ମିଳିବ ୫ ଲକ୍ଷର ପୁରସ୍କାର ।

464

କନକ ବ୍ୟୁରୋ : ୫-ଟି କାର୍ଯ୍ୟକ୍ରମରେ, ଡାକ୍ତର ଓ ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫-ଟି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଜନସାଧରଣଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ବିଶେଷ ଗୁରୁତ୍ୱାରୋପ କରୁଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ଡାକ୍ତର, ପାରାମେଡିକାଲ ଷ୍ଟାଫ୍ ଓ ଅନ୍ୟ କର୍ମଚାରୀମାନେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି ଏବଂ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ରୋଗୀଙ୍କ ଯତ୍ନ ନେଉଛନ୍ତି । ତେଣୁ ଏହି କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ପୁରସ୍କାର ଘୋଷଣା କରିଛନ୍ତି । ଏହା ସହ ଭଲ କାମ କରୁଥିବା ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକୁ ମଧ୍ୟ ପୁରସ୍କୃତ କରାଯିବ ।

ସେବା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର :
ତେବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସର୍ବୋଚ୍ଚ ପୁରସ୍କାର ଭାବେ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଦିଆଯିବ । ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଶ୍ରେଷ୍ଠ ବିବେଚିତ ୧୦ଜଣ ଡାକ୍ତରଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ରଖାଯାଇଥିବା ବେଳେ, ଅନ୍ୟ କର୍ମଚାରୀଙ୍କ କ୍ଷେତ୍ରରେ ୫ ଲକ୍ଷ ଟଙ୍କା ଲେଖାଏଁ ରଖାଯାଇଛି ।

ସ୍ୱାସ୍ଥ୍ୟସେବା ବୃତ୍ତିଧାରୀ ମାନଙ୍କ ପାଇଁ କ୍ୟାରିୟର ଆୱାର୍ଡ :
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ ଜଣେ ସ୍ଥାୟୀ କର୍ମଚାରୀ ତାଙ୍କ ଚାକିରୀ କାଳ ମଧ୍ୟରେ କରିଥିବା ଉଲ୍ଲେଖନୀୟ ସେବାକୁ ଭିତ୍ତି କରି ଏହି ପୁରସ୍କାର ରାଶି ପ୍ରଦାନ କରାଯିବ । ଏହି ପୁରସ୍କାର ପାଇଁ ମନୋନୀତ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ପରବର୍ତ୍ତୀ ଉଚ୍ଚପଦବୀକୁ ପଦୋନ୍ନତି ଦିଆଯିବ । ଏଥିପାଇଁ ସେ ସର୍ବନିମ୍ନ ୨୫ ବର୍ଷ ସ୍ଥାୟୀ ଚାକିରୀ କରିଥିବା ଆବଶ୍ୟକ ।

କାୟାକଳ୍ପ ପ୍ରମାଣପତ୍ର :
କାୟାକଳ୍ପ ପ୍ରମାଣପତ୍ର ପାଇଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନର ଡାକ୍ତରଙ୍କ ଠାରୁ ଆରମ୍ଭ କରି ନିରାପତ୍ତାରକ୍ଷୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ପରବର୍ତ୍ତୀ ଆର୍ଥିକ ବର୍ଷରେ ଅଧା ମାସର ଦରମା ବୋନସ ଭାବରେ ଦିଆଯିବ ।

ଲକ୍ଷ୍ୟ ପ୍ରମାଣ ପତ୍ର :
ଲକ୍ଷ୍ୟ ପ୍ରମାଣପତ୍ର ହାସଲ କରିଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନର ପ୍ରସବ ଗୃହ ଓ ମାତୃତ୍ୱ ଅସ୍ତ୍ରୋପଚାର ଗୃହରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟ କର୍ମଚାରୀ ମାନଙ୍କ ପାଇଁ ପରବର୍ତ୍ତୀ ଆର୍ଥିକ ବର୍ଷରେ ଅଧା ମାସର ଦରମା ବୋନସ ଭାବରେ ଦିଆଯିବ ।

ମୋ ସରକାର କାର୍ଯ୍ୟକ୍ରମ ଅନୁଯାୟୀ ରୋଗୀଙ୍କ ମତାମତ ଭିତ୍ତିରେ ଶ୍ରେଷ୍ଠ ୫ ଗୋଟି ଅନୁଷ୍ଠାନ ପାଇଁ ପୁରସ୍କାର :
ସରକାରୀ ଡାକ୍ତରଖାନା ଯାଉଥିବା ରୋଗୀମାନଙ୍କର ମତାମତକୁ ଭିତ୍ତି କରି ସ୍ଥିର କରାଯାଇଥିବା ଶ୍ରେଷ୍ଠ ୫ ଗୋଟି ସ୍ୱାସ୍ଥ୍ୟ ଅନୁଷ୍ଠାନର ମେଡିକାଲ ଅଫିସରଙ୍କୁ ତ୍ରୈମାସିକ ପ୍ରଂଶସା ପତ୍ର ପ୍ରଦାନ କରାଯିବ । ଏହା ସହ ବର୍ଷ ସାରା ଭଲ କାମ କରିଥିବା ସ୍ଥାୟୀ ମେଡିକାଲ କର୍ମଚାରୀ ମାନଙ୍କୁ ଏଲଟିସିରେ ବିଦେଶ ଭ୍ରମଣର ସୁଯୋଗ ଦିଆଯିବ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ତାଲିମ ନିମନ୍ତେ ବିଦେଶ ପଠାଯିବ ।

ପ୍ରସବ ଓ ତଦଜନିତ ଅସ୍ତ୍ରୋପଚାର ନିମନ୍ତେ ପୁରସ୍କାର :
ପ୍ରସବ ଓ ତଦଜନିତ ଅସ୍ତ୍ରୋପଚାର ନିମନ୍ତେ ଭଲ କାମ କରିଥିବା ଟିମକୁ ସ୍ୱାସ୍ଥ୍ୟ ବିଭାଗର ନିୟମାବଳୀ ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ । ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ କର୍ମଚାରୀଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିବା ଏବଂ ସେମାନଙ୍କର ସଫଳତାର ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପୁରସ୍କାର ଘୋଷଣା କରାଯାଇଛି ।