ମାଗଣା ଟିକା ଦାନ ପରେ ମଧ୍ୟ ୨୨% ନେଇଛନ୍ତି ପ୍ରିକସନ ଡୋଜ୍। ସାମ୍ନାକୁ ଆସିଛି ଏଭଳି କିଛି ତଥ୍ୟ।

70

କନକ ବ୍ୟୁରୋ: ଭାରତ ସରକାର ଜୁଲାଇ ୧୫ରୁ ସବୁ ବୟସ ବର୍ଗର ଲୋକଙ୍କ ପାଇଁ କରୋନାର ଟିକାକୁ ପ୍ରିକସନ ଡୋଜକୁ ମାଗଣା ଦେବାକୁ ଘୋଷଣା କରିଥିଲେ । ଏହା ୭୫ ଦିନିଆ ଅଭିଯାନ ଭାବେ ସାରା ଦେଶରେ ଆରମ୍ଭ ହୋଇଥିଲା । ଏହି ଅଭିଯାନ ଜରିଆରେ ୧୮ରୁ ୫୯ ବର୍ଷୀୟ ଲୋକଙ୍କୁ ପ୍ରିକସନ ଡୋଜ ଦିଆଯାଇଥିଲା । ୭୫ଦିନିଆ ଅଭିଯାନର ଶେଷ ତାରିଖ ରହିଛି ସେପ୍ଟେମ୍ବର ୩୦ । ତେବେ ସରକାରଙ୍କ ମାଗଣା ପ୍ରିକସନ ଡୋଜ ଦେବା ପରେ ମଧ୍ୟ ଏହା ନେବାରେ ଲୋକଙ୍କ ମଧ୍ୟରେ ଆଗ୍ରହ ନଥିବା ଦେଖିବାକୁ ମିଳିଛି । ଆଶା କରାଯାଉଥିଲା ଯେ ଲୋକେ ଉତ୍ସାହିତ ହୋଇ ଟିକା ନେବେ କିନ୍ତୁ ଏହା ଦେଖିବାକୁ ମିଳିନଥିଲା ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶରେ ଏତେ ବଡ ଅଭିଯାନ ପରେ ମଧ୍ୟ ମାତ୍ର ୨୨.୨୪ ପ୍ରତିଶତ ଲୋକହିଁ ପ୍ରିକସନ ଡୋଜ ନେଉଛନ୍ତି । ସେହିଭଳି ୬୦ ବର୍ଷ ବର୍ଗଙ୍କ ଲୋକଙ୍କ ତୁଳନା ଯଦି ୧୮ରୁ ୫୯ ବର୍ଷ ବୟସ୍କଙ୍କ ସହ କରାଯାଏ ତେବେ ସେମାନେ ବହୁତ ଆଗରେ ରହିଛନ୍ତି । ୬୦ ବର୍ଷରୁ ଅଧିକ ବ୍ୟକ୍ତି ଯୁବବର୍ଗ ଠାରୁ ଅଧିକ ପ୍ରିକସନ ଡୋଜ ନେଉଛନ୍ତି । ୧୮ରୁ ୫୯ ବର୍ଷ ମଧ୍ୟରେ ୭୭ କୋଟି କରୋନା ଟିକା ନେଇଥିବା ବେଳେ ୧୭.୫୮ ପ୍ରତିଶତ ପ୍ରିକସନ ଡୋଜ ନେଇଛନ୍ତି । ସେହିଭଳି ୬୦ ବର୍ଷରୁ ଅଧିକ ଲୋକଙ୍କ ମଧ୍ୟରେ ୧୩.୭ କୋଟି ପ୍ରିକସନ ଡୋଜ୍ ନେଇଥିବା ବେଳେ ଏହା ୪୮.୫ ପ୍ରତିଶତ ରହିଛି ।

ବୟସ୍କଙ୍କ ପାଇଁ ପ୍ରି ଭ୍ୟାକସିନେସନ ଡ୍ରାଇଭ ଆରମ୍ଭ ହେବା ପୂର୍ବରୁ ଜୁଲାଇ ମଧ୍ୟଭାବ ପର୍ଯ୍ୟନ୍ତ ୧୮ରୁ ୫୯ ବର୍ଷୀୟ ବ୍ୟକ୍ତିଙ୍କ ପ୍ରିକସନ ଡୋଜ ନେବାର ହାର ୮ ପ୍ରତିଶତ ଥିଲା । ସେହିଭଳି ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ହାର ୨୭ ପ୍ରତିଶତ ଥିଲା । ଯେବେଠାରୁ ମାଗଣା ଟିକାଦାନ ପ୍ରକ୍ରିୟା ଆରମ୍ଭ ହେଲା ସେବେଠାରୁ ବର୍ତ୍ତମାନ ଯାଏ ୧୪.୬ କୋଟି ପ୍ରିକସନ ଡୋଜ ଦିଆଯାଇଛି ଏଥିରୁ ୧୨.୭ କୋଟି ଟିକା ୧୮ରୁ ୫୯ ବର୍ଷୀୟ ବ୍ୟକ୍ତି ନେଇଛନ୍ତି । ଭାରତରେ ବର୍ତ୍ତମାନ ସୁଦ୍ଧା ୨୦.୪୪ କୋଟି ପ୍ରିକସନ ଡୋଜ ପ୍ରଦାନ କରାଯାଇଛି ।