ଭୂତ ଖାଉଛି କି ହରିଶ୍ଚନ୍ଦ୍ର ଯୋଜନା ଟଙ୍କା । ଯାଜପୁର ବିରିପଟା ପଞ୍ଚାୟତରୁ ଆସିଲା ସାଂଘାତିକ ଖବର

62

କନକ ବ୍ୟୁରୋ : ଭୂତ ନେଉଛି ହରିଶ୍ଚନ୍ଦ୍ର ଯୋଜନା ଟଙ୍କା । ୧୮ ବର୍ଷ ତଳେ ମୃତ ବ୍ୟକ୍ତିଙ୍କ ନାଁରେ ହରିଶ୍ଚନ୍ଦ୍ର ଯୋଜନାରୁ ଟଙ୍କା ଉଠାଇ ହଡପ କରାଯାଇଛି । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିରିପଟା ପଂଚାୟତରୁ । ହରିଶ୍ଚନ୍ଦ୍ର ଯୋଜନାରେ ପଂଚାୟତର ଅଧିକାରୀ ଓ ପୂର୍ବତନ ସରପଂଚ ଲୁଟ କରିଥିବା ଅଭିଯୋଗ ହୋଇଛି ।
ବିରିପଟା ପଂଚାୟତର ସେବତୀ ରାଉତଙ୍କ ୨୦୧୭ ମସିହାରେ ଦେହାନ୍ତ ହୋଇଥିଲା । ହେଲେ ୧୮ ବର୍ଷ ତଳେ ମୃତ ତାଙ୍କ ସ୍ୱାମୀଙ୍କ ନାଁରେ ହରିଶ୍ଚନ୍ଦ୍ର ଯୋଜନାରୁ ଟଙ୍କା ଉଠାଯାଇଛି । ସେହିପରି ବିରିପଟାର ବୈକୁଣ୍ଠ ନାଥ ସାମଲଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ନାଁରେ ଟଙ୍କା ଉଠାଯାଇଛି । କିନ୍ତୁ ବୈକୁଣ୍ଠ ସାମଲଙ୍କ ସ୍ତ୍ରୀଙ୍କୁ ଟଙ୍କା ଦିଆଯାଇ ନାହିଁ । ୨୦୧୭ରୁ ୨୦୨୨ ମଧ୍ୟରେ ୭୦ଜଣଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସାମିଲ କରାଯାଇଛି । କିନ୍ତୁ ୫୦ରୁ ଅଧିକ ଲୋକଙ୍କୁ ଅନ୍ତିମ ସଂସ୍କାର ପାଇଁ ମିଳୁଥିବା ସରକାରୀ ସହାୟତା ଦିଆଯାଇନଥିବା ଅଭିଯୋଗ ହୋଇଛି । ଅଭିଯୋଗରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଂଚଳର ଲୋକେ ଦାବି କରିଛନ୍ତି ।