ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବହୁଚର୍ଚ୍ଚିତ ଏଣ୍ଡେଭର କାରକୁ ଜବତ କଲା ଇଡି । ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ପରିତ୍ୟକ୍ତ ଅବସ୍ଥାରେ ଠାବ

138

କନକ ବ୍ୟୁରୋ : ଲେଡି ବ୍ଲକମେଲର ଅର୍ଚନା ନାଗଙ୍କ ସମ୍ପର୍କରେ ଦିନକୁ ଦିନ ପ୍ରବର୍ତନ ନିର୍ଦ୍ଦେଶାଳୟକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବାରେ ଲାଗିଛି । ଅର୍ଚ୍ଚନାଙ୍କ ଯେଉଁ ଏଣ୍ଡେଭର କାରକୁ ଇଡି ଅଧିକାରୀ ଖୋଜୁଥିଲେ, ସେହି କାରକୁ ଜବତ କରାଯାଇଛି । ଚର୍ଚ୍ଚାରେ ଥିବା ଅର୍ଚ୍ଚନାଙ୍କ ୩୩ ଲକ୍ଷ ଟଙ୍କାର ଏଣ୍ଡେଭର କାରକୁ ମଞ୍ଚେଶ୍ୱର ଶିଳ୍ପାଂଚଳରୁ ଠାବ କରିଛି ଇଡି । ପ୍ରଥମେ କାରକୁ ନେବା ପାଇଁ ଟୋଇଂ କାର ଡକାଯାଇଥିଲା । ହେଲେ କାର ପାର୍କିଂ ମୋଡରେ ଥିବାରୁ ନେବା ସମ୍ଭବପର ହୋଇନଥିଲା । ପରେ କାରକୁ ନେବା ପାଇଁ ବିଶେଷଜ୍ଞ ଦଳକୁ ଡକାଇଥିଲେ ଇଡି ଅଧିକାରୀ ।

କିଛି ସମୟ ପରେ ଏକ ମାଷ୍ଟର କି ଜରିଆରେ କାରର ଡୋର ଖୋଲାଯାଇଥିଲା । ଏଣ୍ଡେଭର କାରକୁ ଯାଂଚ କରିବା ପରେ ଇଡି ଅଧିକାରୀ କାରକୁ ଚଲାଇ ଇଡି କାର୍ଯ୍ୟାଳୟକୁ ନେଇଛନ୍ତି । ଆଗକୁ କାର ସୋରୁମ ମାଲିକକୁ ଡାକି ପୁଣି ଥରେ ପଚରା ଉଚରା କରିପାରନ୍ତି ଇଡି ଅଧିକାରୀ । ଏହାଛଡା ଗାଡି ସେଠାରେ କିଏ ନେଇ ରଖିଥିଲା ସେ ନେଇ ବି ଛାନଭିନ କରିବ ଇିଡି । ସ୍ଥାନୀୟ ଅଂଚଳର ସିସିଟିଭିକୁ ବି ଯାଂଚ କରାଯିବ । ଆଗକୁ ଇଡି ବଳିଷ୍ଠ ପ୍ରମାଣ ଯୋଗାଡ କରି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବ ବୋଲି ଚର୍ଚ୍ଚା ହେଉଛି ।

ଅର୍ଚ୍ଚନା ଗିରଫ ହେବା ପରେ ନିଖୋଜ ହୋଇଯାଇଥିବା ତାଙ୍କ ଏଣ୍ଡେଭର କାରକୁ ଜବତ କରିବା ଇଡି ପାଇଁ ବଡ ଚାଲେଞ୍ଜ ଥିଲା । ଏହି ସମୟରେ ଶନିବାର ରାତି ସାଢେ ୧୦ଟା ବେଳେ ଖବର ମିଳିଥିଲା, ମଂଚେଶ୍ୱର ରୟାଲ କଲେଜ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ଏକ ଏଣ୍ଡେଭର କାର ପଡି ରହିଛି । ମଂଚେଶ୍ୱର ରୟାଲ କଲେଜ ନିକଟ ନିଛାଟିଆ ସ୍ଥାନରେ ଗାଡିଧୁଳି ଧୂସରିତ ହୋଇ ଗାଡି ପଡିରହିଥିଲା । ଗାଡ଼ିର ନମ୍ବର ପ୍ଲେଟ ନଥିଲା । ସନ୍ଦେହ କରି ସ୍ଥାନୀୟ ଲୋକେ ଗାଡି ବାବଦରେ ପୁଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ଇଡିର ଅଧିକାରୀମାନେ ଘଟଣାସ୍ଥଳରେ ପଂହଚିଥିଲେ । ଗାଡିର ଛାନଭିନ କରାଯାଇଥିଲା । ହେଲେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଗାଡିର ଡୋର ଖୋଲିପାରିନଥିଲେ । ଏହାପରେ ଏକ୍ସପର୍ଟ ଟିମକୁ ଡକାଇଥିଲେ ଇଡି ଅଧିକାରୀ ।
ଫୋର୍ଡ କଂପାନୀର ଏଣ୍ଡେଭର କାର ଅତ୍ୟାଧୁନିକ ଜ୍ଞାନ କୌଶଳରେ ତିଆରି ହୋଇଥିବାରୁ ଡୋର ଖୋଲିବା ସମ୍ଭବ ନଥିଲା । ଇଡି ଅଧିକାରୀ ଗାଡିର ଚେସିସ ଓ ଇଂଜିନ ନଂବର ଯାଂଚ କରିଥିଲେ । ଏହାପରେ ସେହି ନମ୍ବରକୁ ହ୍ୱାଟସଆପରେ ପଠାଇ ପୁଷ୍ଟି କରିଥିଲେ ଗାଡି କାହା ନାଁରେ ରହିଛି । ସେପଟୁ ମେସେଜ ଆସିବା ପରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏଣ୍ଡେଭର ଗାଡିଟି ଅର୍ଚ୍ଚନାଙ୍କର ବୋଲି ସ୍ପଷ୍ଟ କରିଥିଲେ ଇଡି ଅଧିକାରୀ ।
ଏଣ୍ଡେଭର ଗାଡି ଅର୍ଚ୍ଚନାଙ୍କ ବୋଲି ଜଣାପଡିବା ପରେ ଗାଡିକୁ ଜବତ କରିଥିଲେ ଇଡି ଅଧିକାରୀ । ଏହାପରେ ଗାଡିକୁ ଇଡି କାର୍ଯ୍ୟାଳୟକୁ ନେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । । ଗାଡି ହାଇ ସିକ୍ୟୁରିଟି ଥିବାରୁ ଏହାକୁ ଖୋଲିବା ସମ୍ଭବ ନଥିଲା । ତେଣୁ ଗାଡି ନେବା ପାଇଁ ଟୋଇଂ କାରକୁ ଡକାଯାଇଥିଲା । ହେଲେ ଏଣ୍ଡେଭର କାରଟି ପାର୍କିଂ ମୋଡରେ ଥିବାରୁ ତାକୁ ସେଠାରୁ ନେବା ସମ୍ଭବ ହୋଇପାରିନଥିଲା ।