ଓଡିଆ ଝିଅଙ୍କ ସାହସ ! ମୃତ୍ୟୁମୁଖରୁ ୪ ପର୍ଯ୍ୟଟକଙ୍କୁ ଟାଣି ଆଣିଲେ ଆକାଂକ୍ଷା ସାହୁ

258

କନକ ବ୍ୟୁରୋ : ମୃତ୍ୟୁମୁଖରୁ ୪ ପର୍ଯ୍ୟଟକଙ୍କୁ ଟାଣିଆଣିଲେ ଓଡ଼ିଆ ଝିଅ । ହିମାଚଳପ୍ରଦେଶର ରୋହତାଙ୍ଗପାସ୍ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇ ସାହସିକତାର ପରିଚୟ ଦେଇଛନ୍ତି ଓଡ଼ିଆ ଝିଅ ଆକାଂକ୍ଷା ସାହୁ । ନିଜ ଜୀବନକୁ ବାଜି ଲଗାଇ ବରଫରେ ଫସି ରହିଥିବା ୪ ପର୍ଯ୍ୟଟକଙ୍କୁ ସେ ଉଦ୍ଧାର କରିଛନ୍ତି । ରାୟଗଡ଼ା ଜିଲ୍ଲା ରିଂ ରୋଡର ଆକାଂକ୍ଷା ନିଜ ପରିବାର ସହ ରୋହତାଙ୍ଗପାସ୍ ବୁଲିବାକୁ ଯାଇଥିଲେ ।

ଶୁକ୍ରବାର ସକାଳେ ସମସ୍ତେ ଗ୍ଲାସିୟର ପଏଣ୍ଟର ବରଫାଚ୍ଛନ୍ନ ପାହାଡ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ବେଳେ ହଠାତ ବର୍ଷା ସହ ବରଫପାତ ହୋଇଥିଲା । ବରଫ ତରଳିବା ଆରମ୍ଭ ହେବା ପରେ ଭୟଭୀତ ହୋଇ ପର୍ଯ୍ୟଟକମାନେ ତଳକୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ । ତେବେ ରାଜସ୍ଥାନର ଦୁଇ ମହିଳା ପର୍ଯ୍ୟଟକ ସେମାନଙ୍କ ଦୁଇ ଶିଶୁଙ୍କ ସହ ଉପରେ ଫସି ରହିଯାଇଥିଲେ ।

ଆଉ ଏହି ସମୟରେ ସାହସର ସହ ବରଫ ପାହାଡ ଉପରକୁ ଚଢିଯାଇଥିଲେ ଆକାଂକ୍ଷା । ପ୍ରଥମେ ଦୁଇ ଶିଶୁଙ୍କୁ ଧରି ତଳକୁ ଓହ୍ଲାଇବା ପରେ ଫସି ରହିଥିବା ମହିଳା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଆକାଂକ୍ଷାଙ୍କ ଏଭଳି ସାହସିକତାକୁ ଏବେ ସବୁଠି ପ୍ରଂଶସା କରାଯାଉଛି ।