ଅଣସର ଘରେ ଶ୍ରୀବିଗ୍ରହଙ୍କ ଆଜିଠୁ ଓଷ ଲାଗି : ଧୀରେ ଧୀରେ ସୁସ୍ଥ ହେବେ ମହାପ୍ରଭୁ

136

କନକ ବ୍ୟୁରୋ : ଜ୍ୱରରେ ପୀଡିତ ଶ୍ରୀବିଗ୍ରହଙ୍କ ଉପଚାର ବୈଦ୍ୟଙ୍କ ମାର୍ଗଦର୍ଶନରେ ଚାଲିଛି । ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଫୁଲୁରୀ ତେଲ ମର୍ଦ୍ଦନ ଦ୍ୱାରା ମହାପ୍ରଭୁଙ୍କ ଜ୍ୱରଜନିତ ଶରୀର ପୀଡା ଉପଶମ ହେବା ବିଶ୍ୱାସ ରହିଛି ।

ଏହି ଅନୁସାରେ କାଲି ରାତିରେ ଶ୍ରୀଜୀଉଙ୍କୁ ଔଷଧୀୟ ଜଡିବୁଟି ମିଶ୍ରଣର ସୁଗନ୍ଧଯୁକ୍ତ ଫୁଲୁରୀ ତେଲ ମାଲିସ କରାଯାଇଛି । ପୁରୀର ଓଡିଆ ମଠରେ ଏହି ଫୁଲୁରୀ ତେଲ ପ୍ରସ୍ତୁତ କରାଯାଇଥାଏ । ଏହି ତେଲରେ ବିଭିନ୍ନ ସୁଗନ୍ଧିତ ପୁଷ୍ପ, ଚେରମୂଳି ଓ ଆୟୁର୍ବେଦୀୟ ଜଡିବୁଟି ମିଶାଯାଇଥାଏ । ଆଜିଠାରୁ ଠାକୁରଙ୍କ ଓଷଲାଗି କରାଯିବ । ଏହାପରେ ଠାକୁର ଧୀରେ ଧୀରେ ଜ୍ୱରରୁ ସୁସ୍ଥ ହେବେ ।

ଅଣସର ଘରେ କ’ଣ କ’ଣ ହୁଏ ?

– ସ୍ନାନ ନୀତି ପରେ ରତ୍ନବେଦୀ ସମ୍ମୁଖରେ ବାଉଁଶ ତାଟିରେ ଅସ୍ଥାୟୀ ଗୃହ କରାଯାଏ
– ଏଠାରେ ଦାରୁଦିଅଁଙ୍କ ଗୁପ୍ତସେବା କରାଯାଏ
– ଏହି ଗୃହକୁ ଅଣସର ଗୃହ ଓ ଏହା ଚାରିପଟେ ପରିବେଷ୍ଟିତ ତାଟିକୁ ଅଣସର ତାଟି କୁହାଯାଏ
– ଅଣସରରେ ଲାଗିହୁଏନି ରନ୍ଧାଭୋଗ
– କେବଳ ଧଳାଫୁଲ ଓ ରାଶିତେଲ ବ୍ୟବହାର ହୁଏ
– ଅଣସର ପିଣ୍ଡିକୁ ଧଳାଫୁଲ ଛଡା ଅନ୍ୟ ରଙ୍ଗର ଫୁଲ ନିଆଯାଏ ନାହିଁ
– ରାଶି ଦୀପ ତେଲ ଛଡା ଅନ୍ୟ କୌଣସି ଆଲୋକ ବ୍ୟବହାର ହୁଏ ନାହିଁ
– ଅଣସର ସମୟରେ ବ୍ୟବହାର ହେଉଥିବା ଫଳ ଚୋପା ଓ ବ୍ୟବହୃତ ପଦାକୁ ଅଣାଯାଏ ନାହିଁ
– ଫଳଚୋପା, ବ୍ୟବହୃତ ପାତ୍ର ଓ ଫୁଲକୁ ଏକ କୋଣରେ ରଖାଯାଇଥାଏ
– ଅଣସର ପିଣ୍ଡିରେ ଘଣ୍ଟ ଘଣ୍ଟି, ଓ ବାଦ୍ୟ ବାଜିନଥାଏ
– ଦଶମୀ ଯାଏଁ କୌଣସି ଶଦ୍ଦ କରାଯାଏ ନାହିଁ
– କେବଳ ଦଇତା ଓ ପତିମହାପାତ୍ର ସେବକ ଅଣସର ଘରେ ପ୍ରବେଶ କରିଥାନ୍ତି
– ସେବା ସମୟରେ ପରଷ୍ପର ମଧ୍ୟରେ କେହି କଥାବାର୍ତା କରିନଥାନ୍ତି
– ଏହି ସମୟରେ ଶ୍ରୀମନ୍ଦିର ଭିତରେ ନିର୍ମାଣ କାମ କି ଶଦ୍ଦ କରାଯାଇନଥାଏ
– ଦଇତାପତିମାନେ ସଂପୂର୍ଣ୍ଣ ଭାବେ ନୀତି ନିୟମରେ ରହିଥାନ୍ତି
– ସେମାନେ ମହାପ୍ରଭୁଙ୍କୁ ସମର୍ପିତ ହୋଇଥିବା ଭୋଗ ଗ୍ରହଣ କରିଥାନ୍ତି
– ଅଣସର ସମୟରେ ପଣା ଓ ଚକଡା ଭୋଗ ଲାଗି କରାଯାଏ