ଦଶମ ସମ୍ମେଟିଭ-୧ ପରୀକ୍ଷା ବିଳମ୍ବକୁ ନେଇ ବଢିଲା ଚିନ୍ତା । ଯଦି ପରୀକ୍ଷା ନହେଲା କିଭଳି ହେବ ମୂଲ୍ୟାୟନ?

329

କନକ ବ୍ୟୁରୋ: ଓମିକ୍ରନର ଭୟ ଭିତରେ ଦଶମ ଶ୍ରେଣୀ ପରୀକ୍ଷାକୁ ନେଇ ଏକ ବଡ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ୨ଟି ପର୍ଯ୍ୟାୟରେ ପରୀକ୍ଷା କରି ପିଲାଙ୍କର ମାର୍କିଙ୍ଗ କରିବାକୁ ପଦକ୍ଷେପ ନେଇଥିବା ଗଣଶିକ୍ଷା ବିଭାଗର ଆଭିମୁଖ୍ୟ ବିବାଦ ତିଆରି କରିଛି । ମାଟ୍ରିକର ପ୍ରଥମ ପର୍ଯ୍ୟାୟ ପରୀକ୍ଷା କରିବା ବଦଳରେ ନବମ ଶ୍ରେଣୀର ପରୀକ୍ଷା କରିବାକୁ ବିଭାଗ ନିଷ୍ପତ୍ତି ନେଇ, କାର୍ଯ୍ୟକାରୀ କରାଇସାରିଛି । ସେପଟେ ସିବିଏସଇର କିନ୍ତୁ ଦଶମ ଶ୍ରେଣୀ ପରୀକ୍ଷା ସରିବା ଉପରେ । ପ୍ରଶ୍ନ ଉଠୁଛି ଓମିକ୍ରନ ପାଇଁ ଯଦି ପରୀକ୍ଷା ପ୍ରଭାବିତ ହୁଏ ତେବେ ଦୋଷ ମୁଣ୍ଡାଇବ କିଏ ।

ଓମିକ୍ରନର ବିପଦକୁ ନେଇ ସାରା ବିଶ୍ୱ ଆତଙ୍କ ଭିତରେ ଥିବା ବେଳେ ଦଶମ ପରୀକ୍ଷା ଦେବାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ଚିନ୍ତା ବି ବଢିଛି । କାରଣ ଯଦି କରୋନାର ସଂଖ୍ୟା ବଢେ ଓ ସ୍କୁଲ ବନ୍ଦ ଭଳି ସ୍ଥିତି ଉପୁଜେ । ତେବେ ପରୀକ୍ଷା ଏବଂ ମୂଲ୍ୟାୟନ ପ୍ରଭାବିତ ହେବାର ଆଶଙ୍କା ବଢିଯିବ । ଚଳିତ ବର୍ଷ ଠାରୁ ଦଶମ ଶ୍ରେଣୀ ପିଲାଙ୍କ ମାର୍କିଂ ଦୁଇଟି ବୋର୍ଡ ପରୀକ୍ଷା ସମ୍ମେଟିଭ-୧, ସମ୍ମଟେଭି-୨ ଆଧାରରେ ହେବ ବୋଲି ନିଷ୍ପତି ହୋଇଛି । ଓମିକ୍ରନ ସଂକ୍ରମଣ ଭୟ ଭିତରେ ଯଦି କୈାଣସି କାରଣରୁ ପରୀକ୍ଷା ପ୍ରଭାବିତ ହେଲା, ତେବେ କିଭଳି ହେବ ମୂଲ୍ୟାୟନ?

ଦଶମ ଶ୍ରେଣୀର ସମ୍ମେଟିଭ-୧ ପରୀକ୍ଷା ଜାନୁଆରୀ ୫ତାରିଖରେ କରିବାକୁ ବୋର୍ଡ ପ୍ରୋଗ୍ରାମ ବାହାର କରିସାରିଛି । ହେଲେ ସିବିଏସଇ ଦଶମ ଶ୍ରେଣୀ ପିଲାଙ୍କ ସମ୍ମେଟିଭ-୧ ପରୀକ୍ଷା ସରିବାକୁ ବସିଲାଣି । କାହିଁକି ଓ କାହା ନିଷ୍ପତି ବଳରେ ଏହି ବିଳମ୍ବ ହେଲା, ତାକୁ ନେଇ ଉଠିଛି ପ୍ରଶ୍ମ । ଆଶ୍ଚର୍ଯ୍ୟର କଥା ହେଉଛି, ଦଶମ ପିଲାଙ୍କ ପରୀକ୍ଷା ଆରମ୍ଭ ହୋଇନଥିବା ବେଳେ ନବମ ଶ୍ରେଣୀ ପିଲାଙ୍କ ପରୀକ୍ଷା କରାଯାଇ ସାରିଲାଣି । ପରୀକ୍ଷାରେ ବିଳମ୍ବ ପାଇଁ ବୋର୍ଡ ଓ ଶିକ୍ଷକ ସଂଘ ପରସ୍ପରକୁ ଦୋଷ ଦେଇଛନ୍ତି ।

କରୋନା ପାଇଁ ପୂର୍ବରୁ ପରୀକ୍ଷା ନକରି ଯେଉଁଭଳି ମୁଲ୍ୟାୟନ କରାଯାଇଥିଲା, ତାକୁ ନେଇ ଅନେକ ବିବାଦ ଦେଖିବାକୁ ମିଳିଥିଲା । ତେଣୁ ଏକାଧିକ ପର୍ଯ୍ୟାୟରେ ପରୀକ୍ଷା କରିବା ସହ ମୂଲ୍ୟାୟନର ଦିଗକୁ କିଭଳି ସ୍ୱଛତାର ସହ କରାଯାଇପାରିବ ସେନେଇ ପଦକ୍ଷେପ ନେଇଥିଲା ବୋର୍ଡ । ହେଲେ ଏବେ ଯେଉଁ ଦିଗ ସାମ୍ନାକୁ ଆସିଛି, ତାହା ବୋର୍ଡର ଖାମଖିଆଲି ନୀତିକୁ ପଦାରେ ପକାଇଛି । କାରଣ ବୋର୍ଡ କିମ୍ବା ଗଣଶିକ୍ଷା ବିଭାଗ ନିଷ୍ପତି ନେଇପାରିଲା ନାହିଁ, କେଉଁ ପରୀକ୍ଷା ଆଗ କରିବା ଦରକାର ଆଉ କେଉଁ ପରୀକ୍ଷାକୁ ସାମାନ୍ୟ ବିଳମ୍ବ କରାଯାଇପାରିବ ।