ଶେଷ ପର୍ଯ୍ୟାୟରେ ପୁଣି କମ୍ପିବ ପ୍ରଚାର ମଇଦାନ । ପୁଣି ମୈଦାନକୁ ଓହ୍ଲାଇବେ ବିଜେପି ଓ କଂଗ୍ରେସର ହେବିୱେଟ ନେତା

147

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟ ନିର୍ବାଚନରେ ଶେଷ ପ୍ରୟାସ କରିବା ପାଇଁ ଓଡ଼ିଶା ଆସୁଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ଭଳି ନେତା ୬ଟି ଲୋକସଭା ଏବଂ ୪୨ ବିଧାନସଭା ଆସନକୁ ଦୃଷ୍ଟିରେ ରଖି ଦଳୀୟ ପ୍ରଚାର କରିବେ ।

ଆସନ୍ତା ୨୯ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ବୈଜୟନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ ଏବଂ ନବଚରଣ ମାଝୀଙ୍କ ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମେ ବାରିପଦା ଛଉ ପଡ଼ିଆରେ ଜନସଭା କରିବା ପରେ ଦିନ ୧୨ଟାରେ ବାଲେଶ୍ୱର ଏବଂ ସାଢ଼େ ୩ଟାରେ କେନ୍ଦ୍ରପଡ଼ାରେ ଜନସଭା କରିବେ ନରେନ୍ଦ୍ର ମୋଦୀ

ଏହାର ଠିକ୍ ଦିନକ ପୂର୍ବରୁ ଅର୍ଥାତ୍ ୨୮ ତାରିଖରେ ତିନୋଟି ସ୍ଥାନରେ ପ୍ରଚାର କରିବେ ଗୃହମନ୍ତ୍ରୀ ଅମିତ ଶାହ । ସକାଳ ୧୦ଟାରେ ଚାନ୍ଦବାଲି, ପରେ କୋରେଇ ଏବଂ ନିମାପଡ଼ାରେ ପ୍ରଚାର କରିବେ କେନ୍ଦ୍ର ଗୃହମନ୍ତ୍ରୀ ।

ସୋମବାର ଏବଂ ମଙ୍ଗଳବାର ଦୁଇ ଦିନ ଧରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସେହିପରି କେନ୍ଦ୍ରାପଡା ଏବଂ ଭଦ୍ରକରେ ମଧ୍ୟ ଦୁଇ ଦିନ ଧରି ଅଶ୍ୱିନୀ ବୈଷ୍ନବ ପ୍ରଚାର କରିବେ । ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

 କଂଗ୍ରେସ ବି ଦଳର ହେବିୱେଟ ନେତାଙ୍କୁ ନେଇ ପ୍ରଚାର କରିବ । ଓଡ଼ିଶା ପ୍ରଭାରୀଙ୍କ ସୂଚନା ଅନୁସାରେ, ୨୯ ତାରିଖରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ୧୧ଟା ବେଳେ ବାଲେଶ୍ୱରରେ ବୈଠକ କରିବେ । ଆଉ ଅପରାହ୍ନ ୩ଟାରେ ଭଦ୍ରକରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ସେହିଭଳି ୩୦ ତାରିଖରେ ସିମୁଳିଆର ସନମହିତପୁର ଆସିବେ ରାହୁଲ ଗାନ୍ଧୀ
ଓଡିଶାର ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ୬ଟି ଲୋକସଭା: ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂପୁର ସମେତ ଏହି ସଂସଦୀୟ କ୍ଷେତ୍ର ଭିତରେ ଆସୁଥିବା ୪୨ଟି ବିଧାନସଭା ଆସନରେ ପଡିବ ଭୋଟ୍ ।