ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ କିଏ ଜିତିବ କେତେ ଆସନ ତେଜିଲା ବୟାନବାଜି । ବିଜେଡି କହିଲା, ଆବଶ୍ୟକ ଆସନ ଜିତି ସାରିଛି ଦଳ, ବିଜେପି କହିଲା ଦୁଇ ତୃତୀୟାଂଶ ଆସନ ଜିତିବାକୁ ଯାଉଛି

480

କନକ ବ୍ୟୁରୋ : ଆଉ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ମତଦାନ ବାକି ଅଛି । ହେଲେ ସରକାର ଗଢ଼ିବା ପାଇଁ ଦାବି କରୁଛନ୍ତି ଉଭୟ ବିଜେଡି ଓ ବିଜେପି । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ପରେ ବିଜେଡି ନେତା ଭିକେ ପାଣ୍ଡିଆନ କହିଛନ୍ତି ମହାପ୍ରଭୁ ଜଗନ୍ନାଥ ଓ ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ଏଥର ବଡ଼ ବିଜୟ ହାସଲ କରିବ ।

କେବଳ ବିଜେଡି ନୁହେଁ, ବିଜେପି ନେତା ମଧ୍ୟ ଦମ୍ଭୋକ୍ତି ଦେଖାଇଛନ୍ତି । କେଭି ସିଂଦେଓ କହିଛନ୍ତି, ତୃତୀୟ ପର୍ଯ୍ୟାୟ ସୁଦ୍ଧା ଦୁଇ ତୃତୀୟାଂଶ ଭୋଟ୍ ପାଇଛି ବିଜେପି । ଦଳ ଏଥର ନିଶ୍ଚିତ ସରକାର ଗଢ଼ିବ ।

ତେବେ ରାଜନୈତିକ ସମୀକ୍ଷକଙ୍କ କହିବା କଥା ଏପର୍ଯ୍ୟନ୍ତ କାହା ସପକ୍ଷରେ ଜନମତ ଯାଇଛି, ତାହା ଆକଳନ କରିବା ମୁସ୍କିଲ୍ । କିନ୍ତୁ ଏଥର ଚକିତ କରି ଦେବା ଭଳି ଫଳାଫଳ ଆସିବା ସମ୍ଭାବନା ରହିଛି ।

ରାଜ୍ୟରେ ସରକାର ଗଢ଼ିବା ପାଇଁ ଦାବି କରି ଆସୁଛନ୍ତି ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି । ହେଲେ କିଏ ବାଜି ମାରିବ, ତାହା ଜୁନ ୪ ତାରିଖରେ ଇଭିଏମ୍ ଖୋଲିବା ପରେ ଜଣାପଡ଼ିବ ।