ସେବାଶ୍ରମରେ ଗର୍ଭବତୀ ହେଲେ ଛାତ୍ରୀ । ରିପୋର୍ଟରୁ ଆସିଲା ସାଂଘାତିକ ସତ, ଘଟଣାକୁ ଚାପି ଦେବାକୁ ଜୋରଦାର ଉଦ୍ୟମ ।

2,180

କନକ ବ୍ୟୁରୋ : ଆଶ୍ରମ ସ୍କୁଲରେ ପୁଣି ଗର୍ଭବତୀ ହେଲେ ଛାତ୍ରୀ । ଯାହାର ପ୍ରମାଣ ଲାଗିଛି କନକ ନ୍ୟୁଜ୍ ହାତରେ । ଭୁବନେଶ୍ୱର ନୟାପଲ୍ଲୀ ଆଶ୍ରମ ସ୍କୁଲରୁ ଆସିଛି ଏଭଳି ଏକ ସାଂଘାତିକ ଚିତ୍ର । ଛାତ୍ରୀଙ୍କର ହୋଇଥିବା ଡାକ୍ତରୀ ପରୀକ୍ଷା ରିପୋର୍ଟରେ ଦୁଇ ଜଣ ଛାତ୍ରୀ ଗର୍ଭବତୀ ହୋଇଥିବା ସ୍ପଷ୍ଟ ହୋଇଛି ।

କନକ ନ୍ୟୁଜ୍ ହାତରେ ଲାଗିଛି ଏଭଳି ପ୍ରମାଣ, ଯାହା ପ୍ରଶ୍ନ କରୁଛି- ଆଶ୍ରମ ସ୍କୁଲ ଏବଂ ଆବାସିକ ସ୍କୁଲରେ କେତେ ସୁରକ୍ଷିତ ଛାତ୍ରୀ? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ପାଠ ପଢ଼ିବା ଆଶାରେ ଆଶ୍ରମ ଏବଂ ଆବାସିକ ସ୍କୁଲକୁ ଧାଇଁ ଆସୁଥିବା କିଛି ନାବାଳିକା ଏବେ ଗର୍ଭବର୍ତୀ ।

ଇଏ ହେଉଛି ସରକାରଙ୍କ ପକ୍ଷରୁ ଉପଲବ୍ଧ ହେଉଥିବା ନିଶ୍ଚୟ ପ୍ରେଗନାନସି କିଟ୍ । ଏହି କିଟ୍ର ନାଲି ସଂକେତ ହିଁ ପ୍ରମାଣିତ କରୁଛି ଯେ, ଯେଉଁ ଛାତ୍ରୀଙ୍କ ପ୍ରେଗନାନସି ଟେଷ୍ଟ ଏହି କିଟରେ କରାଯାଇଛି, ସେ ଏବେ ଗର୍ଭବତୀ । ଏହାଛଡା ଡାକ୍ତର ଦେଇଥିବା ରିପୋର୍ଟରେ ମଧ୍ୟ ଭୁବନେଶ୍ୱର ନୟାପଲ୍ଲୀ ଆଶ୍ରମ ସ୍କୁଲର ଦୁଇ ଜଣଛାତ୍ରୀ ଗର୍ଭବତୀ ଥିବା ସ୍ପଷ୍ଟ ଲେଖା ରହିଛି । ଆଉ ଏହି ରିପୋର୍ଟରେ ବାଲିପାଟଣା ଆରବିଏସକେ ୟୁନିଟରେ କାମ କରୁଥିବା ଡାକ୍ତର ସତ୍ୟ ଦାସଙ୍କ ହସ୍ତଖତ ବି ରହିଛି ।

ପେଶାଗତ ବାଧ୍ୟବାଧକତା ଏବଂ ସାମାଜିକ ଦାୟିତ୍ୱବୋଧ ଦୃଷ୍ଟିରୁ ଆମେ ଏଠି ସଂପୃକ୍ତ ଛାତ୍ରଙ୍କ ପରିଚୟ କିମ୍ବା ଠିକଣା ରଖିପାରୁ ନାହୁଁ । କିନ୍ତୁ ଆମ ହାତରେ ଯେଉଁ ପ୍ରମାଣ ଲାଗିଛି, ତାହା ନିଶ୍ଚିତ ଭାବରେ ଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠୁଛି । ବଡ଼ କଥା ହେଉଛି- ନୟାପଲ୍ଲୀ ଠାରେ ଥିବା ଏହି ସରକାରୀ ଆଶ୍ରମ ସ୍କୁଲକୁ ଆମେ ଯେତେବେଳେ ଘଟଣାର ସତ୍ୟାସତ୍ୟ ସଂପର୍କରେ ଜାଣିବାକୁ ପହଂଚିଥିଲୁ, ସେତେବେଳେ ସ୍କୁଲ କର୍ତୃପକ୍ଷ ପ୍ରେଗନାନସି କିଟର ଦୋଷ ଦେଇ ଭୁଆଁ ବୁଲାଇବାକୁ ଉଦ୍ୟମ କରିଥିଲେ ।

ଏଭଳି ଏକ ଖବର ସାମ୍ନାକୁ ଆସିବା ପରେ ତମାମ ଘଟଣାକୁ ଚପାଇବା ପାଇଁ ଭରପୁର ପ୍ରୟାସ କରାଯାଉଥିବା ଅଭିଯୋଗ ହୋଇଛି । ଏମିତି କି ଭୁବନେଶ୍ୱର କିଛି ସ୍ୱାସ୍ଥ୍ୟକେନ୍ଦ୍ର ଓ ହସ୍ପିଟାଲରେ ଏହି ଛାତ୍ରୀଙ୍କ ଗର୍ଭପାତ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି । ଆପଣଙ୍କ ମନେ ଥିବ ଗତ ଜୁଲାଇ ମାସରେ ଠିକ୍ ଏହି ଭଳି ଏକ ରିପୋର୍ଟ ଆମେ ପ୍ରକାଶ କରିଥିଲୁ । ଯେତେବେଳେ ଭୁବନେଶ୍ୱରରେ ଥିବା କୁନ୍ତଳା କୁମାରୀ ଆବାସିକ ସ୍କୁଲର ୪ଜଣ ଛାତ୍ରୀ ଗର୍ଭବତୀ ହୋଇଥିଲେ । ଏହି ଘଟଣାକୁ ନେଇ ପରେ ବିଧାନସଭାରେ ହୁଲୁସ୍ତୁଲ ହୋଇଥିଲା । ରାଜ୍ୟବ୍ୟାପୀ ସମସ୍ତ ଆବାସିକ ସ୍କୁଲ ଏବଂ ଆଶ୍ରମ ସ୍କୁଲରେ ଚଢ଼ାଉ ହୋଇଥିଲା । ହେଲେ ଏବେ ପରିଣାମ ଆପଣଙ୍କ ସାମ୍ନାରେ ।