ଦିଲ୍ଲୀରୁ ଭୁବନେଶ୍ୱର ବ୍ୟାପିଲା ‘ନାଗରିକତା’ ନିଆଁ । ଆଇନକୁ ବିରୋଧ କରି ଏକାଠି ହେଲେ ସଂଖ୍ୟାଲଘୁ ସମ୍ପ୍ରଦାୟ । କହିଲେ, ଛାଡେଇ ଆଣିବା ଆଜାଦି…

515

କନକ ବ୍ୟୁରୋ: ସାରାଦେଶରେ ସାଙ୍ଘାତିକ ଭାବେ ଜଳୁଛି ସିଏଏ ନିଆଁ । ନାଗରିକତା ଆଇନକୁ ନେଇ ଦିନକୁ ଦିନ ବିରୋଧ ତୀବ୍ରତର ହେଉଥିବା ବେଳେ ଏହାର ଏକ ଝଲକ୍ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ସଂଖ୍ୟାଲଘୁ ସଂପ୍ରଦାୟର ହଜାର ହଜାର ଲୋକ ରୁଣ୍ଡ ହୋଇ ନାଗରିକତା ଆଇନ ଏବଂ ଏନଆରସି ବିରୋଧରେ ନାରାବାଜି କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୧୦ ହଜାରରୁ ଅଧିକ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ଭୁବନେଶ୍ୱର ସତ୍ୟନଗରରୁ ଏକ ବିଶାଳ ରାଲିରେ ବାହାରି ଲୋୟର ପିଏମଜିରେ ପହଂଚିଥିଲେ । ସଂଖ୍ୟାଲଘୁ ବିରୋଧରେ ଭେଦଭାବ ଚଳିବ ନାହିଁ, ନାଗରିକତା ଆଇନ୍ ପ୍ରତ୍ୟାହାର ହେଉ, ଏନଆରସି ଚଳିବ ନାହିଁ, ଧର୍ମ ନିରପେକ୍ଷତାର ଜୟ ହେବ ଆଦି ନାରା ଦେଇ ସଂଶୋଧିତ ଆଇନକୁ ବିରୋଧ କରିଥିଲେ ।

ତେବେ ନାଗରିକତା ଆଇନକୁ ବିରୋଧ କରି କଟକରେ ଆରମ୍ଭ ହୋଇଥିବା ପ୍ରତିବାଦ ଆଜି ଭୁବନେଶ୍ୱର ପହଂଚିଥିଲା । ଏହି ଅବସରରେ ନିଖିଳ ଓଡ଼ିଶା ସଂଖ୍ୟାଲଘୁ କଲ୍ୟାଣ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଦାବି ପତ୍ର ଦିଆଯାଇଥିଲା ।

ସେପଟେ ଦିଲ୍ଲୀରେ ଚାଲିଥିବା ପ୍ରତିବାଦ ହିଂସାର ରୁପ ନେଇଛି । ସିଲମପୁର ଅଂଚଳରେ ମୁହାଁମୁହିଁ ହୋଇଛନ୍ତି ପୁଲିସ-ଆନ୍ଦୋଳନକାରୀ । ଆନ୍ଦୋଳନକାରୀମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୁଲିସ ଉପରେ ପଥରମାଡ଼ କରିବା ପରେ ସ୍ଥିତି ଉଗ୍ରରୂପ ନେଇଥିଲା । ଫଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲୁହବୁହା ଗ୍ୟାସ ମାଡ଼ କରିଥିଲା ।

ପ୍ରାୟ ଦୁଇ ଘଂଟା ଧରି ଚାଲିଥିବା ଏହି ଉତ୍ତେଜନା ସ୍ଥିତି ଯୋଗୁଁ ସିଲମପୁର, ବେଲକମ୍, ଗୋକୁଲପୁରୀ, ଜାଫରବାଦ ଆଦି ଏକାଧିକ ମେଟ୍ରୋ ଷ୍ଟେସନକୁ ବନ୍ଦ କରିବାକୁ ପଡ଼ିଥିଲା । ଆଉ ଏସବୁ ଭିତରେ ଜାମିଆ ବିଶ୍ୱବିଦ୍ୟାଳୟ ହିଂସାକାଣ୍ଡ ଘଟଣାରେ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।