କପି ମୁକ୍ତ ହେବ ମାଟ୍ରିକ ! ପରୀକ୍ଷା ଖାତାରେ ପଡିବ ଡିଜିଟାଲ ତାଲା । ପ୍ରଶ୍ନପତ୍ରର ଫଟୋ ଉଠାଇଲେ ସାଙ୍ଗେସାଙ୍ଗେ ଜାଣିପାରିବେ କୋଡ୍ ଆଡମିନ । ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ଗଣଶିକ୍ଷା ବିଭାଗର କସରତ

989

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷାରେ ଆସିବ ବଡ ସଂସ୍କାର । ପରୀକ୍ଷା ଖାତାରେ ରହିବ ସିକ୍ୟୁରିଟି କୋଡ । ଡିଜିଟାଲ୍ ଲକ ହେବ ପ୍ରଶ୍ନ ପତ୍ର । ଏଥର ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଏଭଳି ପ୍ରଶ୍ନପତ୍ର ମିଳିବ । ଯେଉଁ ପ୍ରଶ୍ନପତ୍ରରେ ସିକ୍ୟୁରିଟି କୋଡ୍ ରହିବ । ଆଉ ଏହି କୋଡକୁ ଖାଲି ଆଖିରେ ଦେଖିହେବ ନାହିଁ । କିନ୍ତୁ ଯଦି କେହି ପ୍ରଶ୍ନ ପତ୍ରର ଫଟୋ ଉଠାଇଲେ ତେବେ ଏହା ସିକ୍ୟୁରିଟି କୋଡ ଆଡମିନଙ୍କୁ ଜଣା ପଡିଯିବ । ଫଳରେ କପି ରୋକାଯାଇପାରିବ । ଗତବର୍ଷ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପରୀକ୍ଷାର ୧୫ ମିନିଟ୍ ମଧ୍ୟରେ, ରାଜ୍ୟର ବିଭିନ୍ନ ସ୍ଥାନରେ ମୋବାଇଲରୁ ମୋବାଇଲ ଘୁରି ବୁଲିଥିଲା ମାଟ୍ରିକ ପ୍ରଶ୍ନପତ୍ର । ଯେଉଁଥିପାଇଁ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲା । ମାତ୍ର ଏଥର କପି ରୋକିବା ପାଇଁ ବୋର୍ଡ ନେଉଛି ନୂଆ ପଦକ୍ଷେପ ।

ପୂର୍ବରୁ ରେଭେନ୍ସା ୟୁନିଭରସିଟିରେ ଏମବିଏ ପରୀକ୍ଷା ପାଇଁ ସିକ୍ୟୁରିଟି କୋଡ୍ ଓ ଡିଜିଟାଲ ଲକର ବ୍ୟବସ୍ଥା କରାଯାଇଥିଲା । ହାଇଦ୍ରାବାଦର ଏକ କମ୍ପାନୀ ରେଭେନ୍ସା ପାଇଁ ଏଭଳି ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିଲା । ଆଉ ଏହି କୌଶଳକୁ ଆପଣେଇ ଏଥର ବୋର୍ଡ ମାଟ୍ରିକ ପରୀକ୍ଷାକୁ କପିମୁକ୍ତ କରିବ ।

ସିକ୍ୟୁରିଟି କୋଡ ସହ ଏଥର ମାଟ୍ରିକର ସମସ୍ତ ପରୀକ୍ଷା ପ୍ରଶ୍ନପତ୍ରକୁ ଡିଜିଟାଲ ଲକ କରାଯିବ । ଅର୍ଥାତ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କେହି ପରୀକ୍ଷା ପ୍ରଶ୍ନପତ୍ର ଖୋଲିପାରିବେ ନାହିଁ । ପରୀକ୍ଷା ସମୟ ଅନୁସାରେ ସାରା ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ ଏକା ସମୟରେ ପ୍ରଶ୍ନପତ୍ରର ଲକ ଖୋଲିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଶ୍ନପତ୍ରକୁ ଜେରକ୍ସ କରାଗଲେ ବି ଧରାପଡିଯିବ । କାରଣ ଜେରକ୍ସ ଉପରେ କପି ଲେଖା ଆସିଯିବ । ଏଥର ପ୍ରାୟ ୬ ଲକ୍ଷ ପ୍ରଶ୍ନପତ୍ର ଛପାଯିବାକୁ ଥିବା ବେଳେ ସିକ୍ୟୁରିଟ୍ କୋଡ୍ ପାଇଁ ରାଜ୍ୟ ବାହାର ଆଇଟି ଫାର୍ମ ସହ ଚୁକ୍ତି ହୋଇଥିବା ଜଣାପଡିଛି ।

ସେପଟେ ତାରିଖ ଫାଇନାଲ ହୋଇନଥିଲେ ମଧ୍ୟ ଫେବୃଆରୀ ତୃତୀୟ ସପ୍ତାହରେ ପରୀକ୍ଷା ହେବା ନେଇ ସୂଚନା ମିଳିଛି । ଏବଂ ଏଥର ମାଟ୍ରିକ୍ ପରୀକ୍ଷାରେ ବ୍ୟାପକ ସୁଧାର ଆଣିବାକୁ ଅଂଟା ଭିଡିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ବିଶେଷ କରି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଏବଂ ଠିକ ସମୟରେ ପରୀକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ବୋର୍ଡର ନଜର ରହିଛି ଏଥର କିଭଳି ସୁରୁଖୁରୁରେ ମାଟ୍ରିକ ପରୀକ୍ଷା ପରିଚାଳନା କରିବେ । ନୂଆ କରି ଆରମ୍ଭ ହେଉଥିବା ଉଦ୍ୟମ ଯଦି ସଫଳ ହୁଏ ତେବେ ଆସନ୍ତା ନବୋଦୟ, ଓଟିଇଟି ପରୀକ୍ଷା ସମେତ ବୋର୍ଡ ତରଫରୁ ପରିଚାଳନା ହେଉଥିବା ସବୁ ପରୀକ୍ଷାରେ ଏହି ଡିଜିଟାଲ ଲକ୍ ବ୍ୟବସ୍ଥା ହେବ ।