ଲ୍ୟାଣ୍ଡଫଲ ପୂର୍ବରୁ ‘ବିପର୍ଯ୍ୟୟ’ ରଚୁଛି ତାଣ୍ଡବ, ପ୍ରବଳ ବର୍ଷା ସହିତ ଅଶାନ୍ତ ସମୁଦ୍ର

986

କନକ ବ୍ୟୁରୋ : ଆଉମାତ୍ର କେତେ ଘଣ୍ଟା ପରେ ଗୁଜରାଟର ଜଖାଓ ଠାରେ ଲ୍ୟାଣ୍ଡଫଲ କରିବାକୁ ଯାଉଛି । ହେଲେ ଏବେଠାରୁ ସମୁଦ୍ର ଭିତରେ ୨ରୁ ୩ମିଟର ଉଚ୍ଚରେ ଲହଡି ଉଠିବା ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ବିପର୍ଯ୍ୟୟ ଗୁଜରାଟରୁ ଏବେ ୧୮୦ କିଲୋମିଟର ଦୂରରେ ରହିଛି । ହେଲେ ଏବେଠାରୁ ଗୁଜରାଟର କଚ୍ଛ, ମାଣ୍ଡବୀ ସମେତ ଅନେକ ଅଞ୍ଚଳରେ ତୀବ୍ର ଗତିରେ ପବନ ଆରମ୍ଭ ହୋଇଯାଇଛି । ପାଣିପାଗ ବିଭାଗର ସୂଚନା ମୁତାବକ ଏହି ବାତ୍ୟା ଅତ୍ୟାଧିକ ଶକ୍ତିଶାଳୀ । ବିପର୍ଯ୍ୟୟ ଗୁଜରାଟର କଚ୍ଛ ନିକଟରେ ଥିବା ଜଖାଓ ବନ୍ଦର ନିକଟରେ ଲ୍ୟାଣ୍ଡଫଲ କରିବା ପରେ ସେଠାରେ ଅନେକ କ୍ଷତି ଘଟାଇବ । ଏହାପରେ ମୁମ୍ବାଇରେ ବି ଏହାର ପ୍ରଭାବ ଦେଖିବାକୁ ମିଳିବ ।

ବିପର୍ଯ୍ୟୟ ଯେତେବେଳେ ଜଖାଓ ବନ୍ଦର ନିକଟରେ ଲ୍ୟାଣ୍ଡଫଲ କରିବ ସେତେବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟରରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଉଛି । ଲ୍ୟାଣ୍ଡଫଲ ପୂର୍ବରୁ ବାତ୍ୟା ବିପର୍ଯ୍ୟୟର ପ୍ରଭାବ ଗୁଜରାଟର କଚ୍ଛ, ଦେବଭୂମୀ ଦ୍ୱାରକା ଓ ଜାମନଗର ଅଞ୍ଚଳରେ ଅଧିକ କ୍ଷତି କରିବ ।

ସେପଟେ ବାତ୍ୟା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ୭୪ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି । କେବଳ କଚ୍ଛ ଜିଲ୍ଲାରୁ ୩୪ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ଦ୍ୱାରକାରେ ଥିବା ଦ୍ୱାରକାଧୀଶ ମନ୍ଦିର ଓ ଗିର ସୋମନାଥ ମନ୍ଦିର ଗୁରୁବାର ଦିନ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଛି ।

ଅନ୍ୟପଟେ ବାତ୍ୟା ସହିତ ଜଡିତ ବିପଦକୁ ନଜରରେ ରଖି ସରକାରଙ୍କ ତରଫରୁ ଏକ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି । ସେପଟେ ଗୁଜରାଟର ୩୩ ଟି ଜିଲ୍ଲା ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ଏହାସହ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଏନଡିଆରଏଫର ଗୁଜରାଟ ଓ ମହାରାଷ୍ଟ୍ର ଟିମକୁ ନିୟୋଜିତ କରାଯାଇଛି । ଏନଡିଆରଏଫର ୧୮ ଟି ଟିମ୍ ଗୁଜରାଟରେ ନିୟୋଜିତ ହୋଇଥିବା ବେଳେ ଗୋଟିଏ ଟିମ ଦାଦର ନଗର ହବେଳୀ, ଦମନ ଓ ଡିଓରେ ନିୟୋଜିତ କରାଯାଇଛି ।