ମାଡି଼ ଆସୁଛି ‘ବିପର୍ଯ୍ୟୟ’ : କେତେବେଳେ କରିବ ଲ୍ୟାଣ୍ଡଫଲ ? କ’ଣ କହିଲେ ଅହମଦାବାଦ ପାଣିପାଗ ନିର୍ଦ୍ଦେଶକ

239

କନକ ବ୍ୟୁରୋ : ଗୁଜରାଟ ତଟ ଆଡକୁ ମୁହାଁଉଛି ବାତ୍ୟା ବିପର୍ଯ୍ୟୟ । ଆଜି ସଂଧ୍ୟାରେ ଗୁଜରାଟର ସୌରାଷ୍ଟ୍ର, କଚ୍ଛ ଏବଂ ପାକିସ୍ତାନର ଉପକୂଳ ଅଂଚଳରେ ସ୍ଥଳଭାଗ ଛୁଇଁବ । ଗତ ୬ ଘଂଟା ହେବ ବାତ୍ୟା ଘଂଟା ପ୍ରତି ୫ କିଲୋମିଟର ବେଗରେ ଗତି କରୁଛି ।

ଏବେ ବାତ୍ୟା ଗୁଜରାଟର ଜଖଉ ପୋର୍ଟଠାରୁ ୧୮୦, ଦେବଭୂମି ଦ୍ୱାରକାଠାରୁ ୨୧୦ ଓ କରାଚିଠାରୁ ୨୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ସଂଧ୍ୟା ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୧୫ରୁ ୧୨୫ କିଲୋମିଟର ରହିଥିବ । ସ୍ଥଳ ବିଶେଷରେ ୧୪୦ କିଲୋମିଟର ବେଗରେ ପବନ ବହିପାରେ । ସ୍ୱରାଷ୍ଟ୍ର ଓ କଚ୍ଛ ଉପକୂଳରେ ରେର୍ଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ବାତ୍ୟା ପାଇଁ ଗୁଜରାଟର ୮ ଜିଲ୍ଲାର ତଳିଆ ଅଂଚଳରୁ ୭୫ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି । ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଗୁଜରାଟରେ ଏହାର ଭୀଷଣ ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କଚ୍ଛ, ଦ୍ୱାରକା, ରାଜକୋଟ, ଜାମନଗର ଏବଂ ପୋରବନ୍ଦରରେ ୧୭ ଏନ୍ଡିଆରଏଫ୍ ଏବଂ ୧୨ ଏସ୍ଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ରସକ୍ୟୁ ଅପରେସନ ପାଇଁ ୧୮ ପ୍ଲାର୍ଟୁନ ଏନଡିଆରଏଫ ଟିମ ସହ ବିଏସଏଫ ଓ ବାୟୁସେନାର ହେଲିକ୍ୟାପ୍ଟର ମୁତୟନ କରାଯାଇଛି ।

ବାତ୍ୟା ଯୋଗୁଁ ଗୁଜରାଟର ଉପକୂଳ ଗିର, ଅମରେଲ, କଚ୍ଛ, ସୋମନାଥ ଆଦି ଜିଲ୍ଲାରେ ଦୁଇଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ବାତ୍ୟା ପ୍ରଭାବରେ ୮ ରାଜ୍ୟରେ ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ଗୁଜରାଟ ସମେତ କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ଗୋଆରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ବାତ୍ୟା ପାଇଁ ୬୯ଟି ଟ୍ରେନ୍ ବାତିଲ ହୋଇଛି ।