ଗୁଳୁଗୁଳିରେ ଛଟପଟ ସାରାରାଜ୍ୟ : ଆଜି ୯ ଜିଲ୍ଲାରେ ଅନୁଭୂତ ହୋଇପାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ

1,548

କନକ ବ୍ୟୁରୋ : ନାକେଦମ କରୁଛି ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ସକାଳ ସାଢ଼େ ୫ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୩୦ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ରାଜଧାନୀରେ ଆର୍ଦ୍ରତା ରହିଛି ୯୬ ପ୍ରତିଶତ । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ ଜିଲ୍ଲାରେ ଅସହ୍ୟ ତାତି ଅନୁଭୂତ ହେବ । ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଦିନ ତାପମାତ୍ରାରେ ଆଗାମୀ ୫ ଦିନ ଯାଏଁ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ୩ରୁ ୪ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ । କିଛି କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ହୋଇଥିଲା । କିଛି କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୫ ଡିଗ୍ରୀ ଯାଏଁ ଅଧିକ ରହିଥିଲା ।

ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୫ ଦଶମିକ ୬ ଡିଗ୍ରୀ ରେକର୍ଡ କରାଯାଇଥିଲା । ଯାହାକି ସ୍ୱାଭାବିକଠାରୁ ୫ ଦଶମିକ ୯ ଡିଗ୍ରୀ ଅଧିକ । ସେହିପରି ସମ୍ବଲପୁରରେ ଦିନ ତାପମାତ୍ରା ରହିଥିଲା ୪୫ ଦଶମିକ ୨ ଡିଗ୍ରୀ । ଯାହାକ ସ୍ୱାଭାବିକଠାରୁ ୫ ଦଶମିକ ୧ ଡିଗ୍ରୀ ଅଧିକ ରହିଥିଲା ।