ନାବାଳକ ଗାଡି ଚଳାଇ ରାସ୍ତାକୁ ବାହାରୁ ଥିଲେ ସାବଧାନ: ରାଜ୍ୟବ୍ୟାପି ଟ୍ରାଫିକ୍ ଚେକିଂ କଡାକଡି

571

କନକ ବ୍ୟୁରୋ: ରାଜ୍ୟବ୍ୟାପି ଜୋରଦାର ହୋଇଛି ଗାଡି ଯାଂଚ । ବିଶେଷକରି ନାବାଳକ ଗାଡି ଚାଳକଙ୍କୁ ଧରିବା ପାଇଁ ପରିବହନ ବିଭାଗର ଅଧିକାରୀ ଯାଂଚକୁ ଜୋରଦାର କରିଛନ୍ତି । ୧୮ ବର୍ଷରୁ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ସ୍ପେଶାଲ ଡ୍ରାଇଭ ଚେକିଂ କରାଯାଉଛି । ଆଉ ଚେକିଂ ସମୟରେ ଧରାପଡିଛନ୍ତି ବହୁ ନାବାଳକ । ଧରାପଡିବା ପରେ ଜରିମାନା ଆଦାୟ କରିବା ସହ ବାଇକ୍ ଜବତ କରିଛନ୍ତି ପରିବହନ ଅଧିକାରୀ । ଭୁବନେଶ୍ୱରରେ ଚେକିଂ ସମୟରେ ଜଣେ ନାବାଳକଙ୍କୁ ୨୫ ହଜାର ଟଙ୍କାର ଫାଇନ୍ ଦେବାକୁ ପଡ଼ିଛି । ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଦୁଇ ଜଣ ନାବାଳକ ବାଇକ ଚାଳକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଗଣିବାକୁ ପଡ଼ିଛି । ସେହିପରି ଜୟପୁର, ସମ୍ବଲପୁର ଓ ହୀରାକୁଦରେ ନାବାଳକ ଗାଡି ଚଳାଇ ଫାଇନ ଗଣିଛନ୍ତି ।

ଟ୍ରଫିକ୍ ନିୟମ ଅନୁସାରେ ନାବାଳକ ଗାଡି ଚଳାଇ ରାସ୍ତାକୁ ବାହାରି ପାରିବେ ନାହିଁ । ଯଦି ବାହାରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଆଉ ଗାଡି ମାଲିକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ନିୟମ ପୂର୍ବରୁ ରହିଥିଲେ ମଧ୍ୟ କିଛି ଅମାନିଆ ଅଭିଭାବକ ସେମାନଙ୍କ ପିଲାମାନଙ୍କୁ ଗାଡି ଦେଇ ରାସ୍ତା ଉପରକୁ ଛାଡି ଦେଉଛନ୍ତି । ଯେଉଁମାନେ ନାବାଳକ ଓ ସେମାନଙ୍କର ଲାଇସେନ୍ସ ନାହିଁ । କିନ୍ତୁ ସେମାନେ ଗାଡି ଚଲାଇ ସ୍କୁଲ କଲେଜ ଯାଉଛନ୍ତି, ଯାହାକୁ ରୋକିବା ପାଇଁ ପଦକ୍ଷେପ ନେଇଛି ଟ୍ରାଫିକ୍ ପୋଲିସ । ଏଥିସହ ମାର୍ଚ୍ଚ ମାସରେ ଟ୍ରାଫିକ୍ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ହେଲମେଟ ଓ ଅନ୍ୟାନ୍ୟ ଚେକିଂକୁ କଡାକଡି କରାଯାଇଛି ।