ସରକାରୀ ବାସଭବନ ଛାଡ଼ିବାକୁ ରାଜି ହେଲେ ରାହୁଲ ଗାନ୍ଧୀ: ଚିଠି ଲେଖି ଲୋକସଭା ସଚିବାଳୟର ଡେପୁଟି ସେକ୍ରେଟାରୀଙ୍କୁ କଲେ ଅବଗତ

887

କନକ ବ୍ୟୁରୋ: ଯେଉଁ ତତ୍ପରତାରେ ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ରଦ୍ଦ ହୋଇଥିଲା, ଯେଉଁ ଢଙ୍ଗରେ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍ ହୋଇଥିଲା, ସେଇ ସମାନ ଢଙ୍ଗରେ ତତ୍ପରତା ଦେଖାଇ ସରକାରୀ ବଙ୍ଗଳା ଛାଡ଼ିବାକୁ ରାଜି ହୋଇଛନ୍ତି ରାହୁଲ ଗାନ୍ଧୀ । ଲୋକସଭା ସଚିବାଳୟର ଉପସଚିବଙ୍କୁ ଚିଠି କରି, ରାହୁଲ ଲେଖିଛନ୍ତି- ଲୋକଙ୍କ ଜନାଦେଶ ବଳରେ ୪ଥର ଲୋକସଭାର ସଦସ୍ୟ ହୋଇଛି । ମୋର ଅଧିକାରକୁ ପକ୍ଷଭୁତ ନକରି, ମୁଁ ନିଶ୍ଚିତ ଭାବେ ଆପଣଙ୍କ ଆଦେଶକୁ ପାଳନ କରିବି । ଆଉ ନୋଟିସରେ କୁହାଯାଇଥିବା ସବୁ ପଦକ୍ଷେପ ଗ୍ରହଣ କରିବି । ଅର୍ଥାତ୍ ସଫାସଫା ବଙ୍ଗଳା ଛାଡ଼ିବାକୁ ସହମତି ଦେଖାଇଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ ଗାନ୍ଧୀ ବଙ୍ଗଳା ଛାଡ଼ିବାକୁ ରାଜି ହୋଇଥିବା ବେଳେ ଏବେ ସେ କେଉଁଠି ରହିବେ ତାକୁ ନେଇ ଚର୍ଚ୍ଚା ହୋଇଛି । ଆଉ ଠିକ୍ ଏତିକି ବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଯଦି ରାହୁଲ ଗାନ୍ଧୀ ବଙ୍ଗଳା ଖାଲି କରନ୍ତି । ତେବେ ନିଜ ମା’ ସୋନିଆ ଗାନ୍ଧୀ ସହ ରହିପାରିବେ । ନଚେତ୍ ମୋ ପାଖରେ ଆସି ମଧ୍ୟ ରହିପାରିବେ ।

ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦକୁ ନେଇ ବିବାଦ ଥମିନଥିବା ବେଳେ ଏବେ ଆଉ ଏକ ବିବାଦ ମୁଣ୍ଡ ଟେକି ଠିଆ ହୋଇଛି । ଏହି ବିବାଦ ପଛରେ ରହିଛି, ରାହୁଲ ଗାନ୍ଧୀଙ୍କ ଏହି ବୟାନ୍ । ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ନେଇ ଅଡୁଆରେ ପଡ଼ିଛନ୍ତି ରାହୁଲ ଗାନ୍ଧୀ । ଏହି ବୟାନକୁ ନେଇ କେବଳ ବିଜେପି ନୁହେଁ ବରଂ ସାବରଙ୍କର ବଂଶଧର ଭାବେ ଆପତି ଉଠାଇଛନ୍ତି । ଯଦି ରାହୁଲ ଗାନ୍ଧୀ ମନ୍ତବ୍ୟକୁ ଫେରାଇ ନନିଅନ୍ତି, ତେବେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ବୀର ସାବରକରଙ୍କ ନାତି ।

ଏପଟେ ସଭ୍ୟପଦ ରଦ୍ଦ ପ୍ରସଙ୍ଗରେ ରାହୁଲଙ୍କୁ ସମର୍ଥନ ଦେଉଥିବା ଶିବସେନାର ଉଦ୍ଧବ ଗୋଷ୍ଠୀ ଏହି ବୟାନକୁ ନେଇ ଆପତି ଉଠାଇଛନ୍ତି । ଉଦ୍ଧବ ଠାକରେ ଏବଂ ସଂଜୟ ରାଉତ ଏହି ମନ୍ତବ୍ୟକୁ ବିରୋଧ କରିବା ସହ ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି ସହ ମେଂଟ ଭାଙ୍ଗିବାକୁ ଚେତାବନୀ ଦେଇଛନ୍ତି ।

ଏସବୁ ଭିତରେ ରାହୁଲଙ୍କ ଲୋକସଭା ସଦସ୍ୟତା ଯିବା ପରେ ଆମେରିକା ରଖିଛି ପ୍ରତିକ୍ର୍ରିୟା । ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, ଆଇନ୍ ଓ ନ୍ୟାୟିକ ସ୍ୱାଧୀନତାର ସମ୍ମାନ ଯେକୌଣସି ଗଣତନ୍ତ୍ରର ମୂଳ ଆଧାର । ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ବାକ୍ ସ୍ୱାଧୀନତା ଜରୁରୀ । ଆମେରିକା ଭାରତ ସରକାର ସହ ଯୋଗାଯୋଗରେ ଅଛନ୍ତିି । ରାହୁଲ ଗାନ୍ଧୀଙ୍କ ବହିଷ୍କାର ସମ୍ପର୍କିତ ଏକ ପ୍ରଶ୍ନର ଉତରରେ ଏହି ପ୍ରତିକ୍ରିୟା ରଖିଥିଲେ ବେଦାନ୍ତ ପଟେଲ ।