ଓଡ଼ିଶା ମାଟିରେ ବରପୁତ୍ରଙ୍କୁ ଅସମ୍ମାନ: ଜରାଜୀର୍ଣ୍ଣ ଅବସ୍ଥାରେ ନବକୃଷ୍ଣ ଚୌଧୁରୀଙ୍କ ଘର

23,941

କନକ ବ୍ୟୁରୋ: ଅବହେଳିତ, ଜରାଜୀର୍ଣ୍ଣ ଅବସ୍ଥାରେ ଓଡିଶାର ଗର୍ବ, ଗୌରବ ଆଉ ଅସ୍ମିତାର ପରିଚୟ ନବକୃଷ୍ଣ ଚୌଧୁରୀଙ୍କ ଆଶ୍ରମ । ଚାଳ, ଛପର ଉପରେ ପଡିଛି ଜରି ପାଲ । ଘର ବାହାରେ ଏକ ଚଉକି ଉପରେ ରହିଛି ନବକୃଷ୍ଣ ଚୌଧୁରୀଙ୍କ ଫଟୋ । ଆଉ କୁଟିଆ ଘରର ଚାରିପଟେ ଅନାବନା ଝାଟି ବଣ ଘେରି ରହିଛି । ଏଭଳି ଅବହେଳିତ ଅବସ୍ଥାରେ ରହିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏବଂ ମାଳତୀ ଚୌଧୁରୀଙ୍କ ଘର । ଆଉ ପୁରା ଜଳ ଜଳ ହୋଇ ଦିଶୁଛି କିପରି ସରକାର ଭୁଲି ଯାଇଛନ୍ତି ଓଡିଶାର ଏହି ବରପୁତ୍ରଙ୍କୁ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଅସମ୍ମାନ କରାଯାଉଥିବା ନେଇ ବିଧାନସଭାରେ ଉଦ୍ବେଗ ପ୍ରକାଶ କରିଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀଙ୍କ ଜରାଜୀର୍ଣ୍ଣ ଫଟୋ ଦେଖାଇ ଗୃହରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଖଣ୍ଡପଡା ବିଧାୟକ । ସରକାର ପୂର୍ବପୁରୁଷଙ୍କ ସ୍ମୃତିକୁ ଉଜ୍ଜୀବିତ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହା ସ୍ୱାଗତଯୋଗ୍ୟ । କିନ୍ତୁ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀଙ୍କ ପ୍ରତି କାହିଁକି ଦୃଷ୍ଟି ଦିଆଯାଇନି ବୋଲି ସେ ପ୍ରଶ୍ନ କରିଛନ୍ତି । ପୂର୍ବପୁୁରୁଷ ମାନେ ଆମର ଗର୍ବ ଗୌରବ । ତେଣୁ ତାଙ୍କ ବାବଦରେ ଚିନ୍ତା କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଓଡିଶାର ଗର୍ବ, ଗୌରବ ଥିବା ନବକୃଷ୍ଣଙ୍କ ପ୍ରତି ଆଜି ସରକାର ଅଣଦେଖା କରିଦେଇଛନ୍ତି । ମଠ, ମନ୍ଦିର ବିଭିନ୍ନ ପୀଠର ପୁର୍ନଉଦ୍ଧାର ହେଉଛି । ହେଲେ ଏହି ବରପୁତ୍ରଙ୍କ ଜରାଜୀର୍ଣ୍ଣ କୂଟୀର ଉପରେ ସରକାରଙ୍କ ନଜର ପଡୁନାହିଁ ।