ବିବିସି କାର୍ଯ୍ୟାଳୟରେ ଆଜି ବି ଚାଲିଛି ଆଇଟି ରେଡ୍ : ଗତକାଲିଠୁ ଦିଲ୍ଲୀ, ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗର ସ୍ୱତନ୍ତ୍ର ଟିମର ଚଢଉ

83

କନକ ବ୍ୟୁରୋ : ବିବିସି କାର୍ଯ୍ୟାଳୟରେ ଆଜି ବି ଚାଲିଛି ଆଇଟି ରେଡ୍ । ଗତକାଲିଠୁ ଦିଲ୍ଲୀ, ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗର ସ୍ୱତନ୍ତ୍ର ଟିମର ଚଢାଉ ଚାଲିଛି । ଚଢ଼ଉ କରି କେତେକ ଫୋନ୍, ଦସ୍ତାବିଜ ଓ ଲାପଟପ ଜବତ କରିବା ସହ କାର୍ଯ୍ୟାଳୟ ସିଲ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ଦୁଇଟି ଡକୁମେଣ୍ଟାରି ପ୍ରସ୍ତୁତ କରିବା ପରେ ଏହି ସଂସ୍ଥା ବିବାଦୀୟ ହୋଇପଡ଼ିଥିଲା ।

ବିବିସି ସାମ୍ବାଦିକମାନଙ୍କ ମୋବାଇଲ ଫୋନ୍ ଓ ଲାପଟପ ଏବଂ ଅନେକ କାଗଜପତ୍ର ଜବତ କରାଯାଇଛି । ତଲାସି ଆରମ୍ଭ ହେବାର ଛଅଘଣ୍ଟା ପରେ ଏବଂ ସେମାନଙ୍କ ଲାପଟପ ଆଦି ସ୍କାନ କରାଯିବା ପରେ ହିଁ କର୍ମଚାରୀମାନଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଥିଲା । କତେକ କର୍ମଚାରୀ ଆଇଟି ଅଧିକାରୀମାନଙ୍କ ସହ ଯୁକ୍ତିତର୍କ କରିବା ଦେଖାଯାଇଥିଲା । ସାମାଜିକ ଗଣମାଧ୍ୟମରେ ଚଢ଼ଉ ଉପରେ ମନ୍ତବ୍ୟ ଦେବାରୁ ନିବୃତ୍ତ ରହିବା ପାଇଁ ବିବିସି ପକ୍ଷରୁ କର୍ମଚାରୀମାନଙ୍କୁ କୁହାଯିବା ସହ ଯେଉଁ କର୍ମଚାରୀମାନେ କାର୍ଯ୍ୟାଳୟରେ ଉପସ୍ଥିତ ନ ଥିଲେ ସେମାନେ ବାହାରେ ରହିବା ପାଇଁ କୁହାଯାଇଥିଲା ।

ଆଇଟି ଅଧିକାରୀମାନଙ୍କ ପକ୍ଷରୁ କୁହାଯାଇଛି ଯେ ଏହା ଏକ ସର୍ଭେ ଏବଂ ଏହି ସର୍ଭେ ପାଇଁ ଯେଉଁମାନଙ୍କ ଲାପଟପ ଓ ଫୋନ୍ ନିଆଯାଇଛି, ସେମାନଙ୍କୁ ତାହା ଫେରାଇ ଦିଆଯିବ । ବିବିସିର ଫାଇନାନ୍ସ ବିଭାଗକୁ ବାଲାନ୍ସ ସିଟ୍ ଓ ଆକାଉଣ୍ଟର ହିସାବ ଦେବା ପାଇଁ କୁହାଯାଇଛି । ଏହି ଘଟଣାରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ମୋଦୀ ସରକାରକୁ ନିନ୍ଦା କରାଯାଇଛି ।