ବାଲିଆପାଳରେ ବନ୍ୟା ପାଣିରେ ଫସିଲା ଅଟୋ, ଭାସିଯାଉଥିବା ବେଳେ ଉଦ୍ଧାର କଲେ ଲୋକେ

120

କନକ ବ୍ୟୁରୋ : ବନ୍ୟା ପାଣିରେ ଅଟୋ ଭାସିଯାଉଥିବାବେଳେ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ବାଲିଆପାଳ କମର୍ଦ୍ଦା ରାସ୍ତା ପାରୁଳିଆ ଛକ ନିକଟରେ ତିନି ଫୁଟ ଉଚ୍ଚର ପାଣି । ଗ୍ରୋସରୀ ଲୋଡ଼ ଥିବା ଅଟୋ ଆସିବାବେଳେ ସେହି ବାଟ ଦେଇ ଯିବାକୁ ମନା କରିଥିଲେ ଲୋକେ । ହେଲେ ଅଟୋ ଚାଳକ ଜଣକ ନ ମାନି ସେହି ପାଣି ବାଟ ଦେଇ ପାର ହେବା ବେଳେ ଅଧା ବାଟରେ ଷ୍ଟାଟ ବନ୍ଦ ହୋଇଯାଇଥିଲା । ଫଳରେ ସୁବର୍ଣ୍ଣରେଖା ନଦୀର ପାଣି ଅଟୋଟିକୁ ଟାଣି ନେଉଥିଲା । ପରେ ସ୍ଥାନୀୟ ଲୋକେ ଅଟୋକୁ ଟାଣି ଉଦ୍ଧାର କରିଥିଲେ । ଠେଲି ଠେଲି ଅଟୋକୁ ପାର କରିଛନ୍ତି ଲୋକେ ।
ସେହିଭଳି, ବନ୍ୟା ବିପଦ ପରେ ଏବେ ଦାଉ ସାଧୁଛି ବିଦ୍ୟୁତ୍ । ଉପୁଡିପଡିଛି ବିଦ୍ୟୁତ ଖୁଣ୍ଟ । ଦୁଇ ଦିନ ହେବ ଅନ୍ଧାର ଘେରରେ ପୁରୀ ଜିଲ୍ଲାର ଡ଼େଲାଙ୍ଗ ଓ କଣାସ ଅଞ୍ଚଳର ଲୋକ । ଦୟା ନଦୀରେ ଆସିଥିବା ପ୍ରବଳ ବନ୍ୟା ଯୋଗୁଁ ବିଦ୍ୟୁତ ଖଂଟ ଗୁଡିକ ଉପୁଡି ପଡିଛି । ତେଣୁ ଦୁଇ ଦିନ ହେବ ବିଦ୍ୟୁତ ସେବା ବନ୍ଦ ରହିଛି । ଏହାଦ୍ୱାରା ପ୍ରାୟ ୩୦ ହଜାର ବିଦ୍ୟୁତ ଉପଭୋକ୍ତା ଅନ୍ଧାରରେ ରହିଛନ୍ତି । ବିଦ୍ୟୁତ ସଂଯୋଗ ପାଇଁ ଟାଟା ପାୱାର ଉଦ୍ୟମ କରିଛି । ପାଖାପାଖି ଆଠ ଘଂଟା ଧରି ଟାଟା ପାୱାରର କର୍ମଚାରୀ ବିଦ୍ୟୁତ ସେବାକୁ ସଜାଡ଼ିବାକୁ ପ୍ରୟାସ କରିଥିଲେ । ମୋଟର ବୋଟ ସାହାଯ୍ୟରେ ତାର ଟାଣି ବିଦ୍ୟୁତ ସଂଯୋଗକୁ ସ୍ୱାଭାବିକ କରିବାକୁ ପ୍ରୟାସ କରିଥିଲେ । ହେଲେ ପ୍ରୟାସ ସଫଳ ହୋଇ ପାରିନାହିଁ ।