ଫଟୋ ଖୋଜୁଛି ପରିଚୟ । ମୃତଦେହ ଭିତରୁ ସଂପର୍କୀୟଙ୍କୁ ଖୋଜୁଛନ୍ତି ପରିବାର ଲୋକ । ସବୁଠି ମୃତାହତ ସମ୍ପର୍କୀୟଙ୍କ ଭିଡ ।

672

କନକ ବ୍ୟୁରୋ: ଚାରିଆଡେ କୁଢ଼ କୁଢ଼ ଶବ । ଚିତ୍କାର କରିପାରୁନଥିବା ଆହତ । ଦେଖାଣିହାରି ବି ଭୟଭୀତ । ଦୁର୍ଘଟଣାସ୍ଥଳଠାରୁ ଆରମ୍ଭ କରି ହସ୍ପିଟାଲ ପର୍ଯ୍ୟନ୍ତ ମୃତାହତ ସମ୍ପର୍କୀୟଙ୍କ ଭିଡ । ଆଶଙ୍କା ଓ ଅନିଶ୍ଚିତା ଭିତରେ ନିଜ ନିଜର ଲୋକଙ୍କୁ ଖୋଜି ଚାଲିଛନ୍ତିି ।

ଧାଡ଼ି ଧାଡ଼ି ଥୁଆ ହୋଇଛି ମୃତକଙ୍କ ଫଟୋ । ଆଉ ସେହି ମୃତକଙ୍କ ଫଟୋ ଭିତରୁ ନିଜର ଲୋକଙ୍କୁ ଖୋଜୁଛନ୍ତି ପରିଜନ ଓ ସମ୍ପର୍କୀୟ । ସରକାରଙ୍କ ପକ୍ଷରୁ ରଖାଯାଇଥିବା ଫଟୋ ଭିତରେ କିଏ ନିଜ ପୁଅ ତ ଆଉ କିଏ ସ୍ତ୍ରୀ, ବନ୍ଧୁ ପରିଜନଙ୍କୁ ଖୋଜୁଛନ୍ତି । କେହି କେହି ଦୁର୍ଘଟଣା ପରେ ପତ୍ତା ମିଳୁନଥିବା ପୂରା ପରିବାରକୁ ଖୋଜୁଛନ୍ତି । ନିଖୋଜ ସମ୍ପର୍କୀୟଙ୍କ ଫଟୋ ସହ ସରକାରଙ୍କ ପକ୍ଷରୁ ରଖାଯାଇଥିବା ଫଟୋକୁ ମେଳ କରାଉଛନ୍ତି ।

କେବଳ ଫଟୋ ନୁହେଁ କେହି କେହି ସରକାରଙ୍କ ପକ୍ଷରୁ ରଖାଯାଇଥିବା ମୃତଦେହକୁ ଆଡେଇ ନିଜ ସମ୍ପର୍କୀୟଙ୍କୁ ଖୋଜୁଛନ୍ତି । ଯାହା ବର୍ଣ୍ଣନା କରୁଛି, ଦୁର୍ଘଟଣା ଯେ କେତେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି । କେମିତି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଲୋକଙ୍କ ଆଖିୁରୁ ଲୁହ ଶୁଖୁନି ।

ଏସବୁ ଭିତରେ ଜାରି ରହିଛି ଶବ ଚିହ୍ନଟ ପ୍ରକ୍ରିୟା । ଯେଉଁ ଶବ ଚିହ୍ନଟ ହେଉଛି, ସେଗୁଡିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି । ଆଉ ଯେଉଁ ଶବ ଚିହ୍ନଟ ହୋଇପାରିନାହିଁ, ସେଗୁଡିକର ଫଟୋ ଜାରି କରାଯାଇଛି । ଏଥିପାଇଁ ଯୋଗାଯୋଗ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ତେବେ ମୃତଦେହକୁ ସୁରକ୍ଷିତ ରଖିବା ପାଇଁ ଭୁବନେଶ୍ୱରକୁ ଅଣାଯାଇଛି । ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲ ଶବ ଗୃହରେ ରଖାଯାଇଛି । ତେବେ ଶବ ଚିହ୍ନଟ ହୋଇନପାରିଲେ ଆଇନ ଅନୁସାରେ ସଂସ୍କାର କରାଯିବ ବୋଲି ଜଣାପଡିଛି ।