ବଢ଼ୁଛି ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା : ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କୁ ଦେଖିବାକୁ ଚାହାନ୍ତି ୪୩ ଓ ରାହୁଲଙ୍କୁ ୨୭% ଲୋକ

1,304

କନକ ବ୍ୟୁରୋ : ବଢୁଛି ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା । ଗତ କିଛି ଦିନ ଭିତରେ ରାହୁଲ ଗାନ୍ଧୀ ରାଜନୀତିରେ ଏମିତି ପରିପକ୍ୱ ଆଚରଣ ଦେଖାଇଛନ୍ତି ଯେ ତାଙ୍କର ଗ୍ରହଣୀୟତା ବଢିଯାଇଛି । ଭାରତ ଯୋଡ ଯାତ୍ରାରେ ପ୍ରାୟ ସାଢେ ୩ ହଜାର ୫୦୦ କିଲୋମିଟର ବୁଲିବା ପରେ ପରେ ଲୋକଙ୍କ ଭିତରେ ରାହୁଲଙ୍କ ଛବି ଉଜ୍ଜଳ ହୋଇଛି । ଦ୍ୱିତୀୟରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ଓ ସେ ସରକାରୀ ଘର ଛାଡିବା ଲୋକଙ୍କ ଭିତରେ ଏକ ଅନୁକମ୍ପା ତିଆରି କରିଛି ।

ତୃତୀୟରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ଏବଂ ପ୍ରଚାର ବେଳେ ଲୋକଙ୍କ ସହିତ ବୁଲିବା ଆଦି ଘଟଣା ରାହୁଲଙ୍କ ଗ୍ରହଣୀୟତାକୁ ବଢାଇ ଦେଇଛି । ଲୋକନୀତି-ସେଣ୍ଟର ଫର୍ ଦ ଷ୍ଟଡି ଅଫ୍ ଡେଭ୍ଲପିଂ ସୋସାଇଟିଜର ସହଯୋଗରେ ଏନ୍ଡିଟିଭି ଦ୍ୱାରା କରାଯାଇଥିବା ଏହି ସ୍ୱତନ୍ତ୍ର ଜନମତ ସର୍ଭେରୁ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦୀ ସର୍ବାଧିକ ସଂଖ୍ୟକ ଭାରତୀୟଙ୍କର ପ୍ରଥମ ପସନ୍ଦ । ଏହି ସର୍ଭେ ଅନୁଯାୟୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ଲୋକପ୍ରିୟତା ବଢ଼ୁଥିଲେ ମଧ୍ୟ ମୋଦୀ ତଥାପି ଅପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି ।ବିଜେପିର ଭୋଟ ଭାଗ ୨୦୧୯ରେ ଥିବା ୩୭ ପ୍ରତିଶତ ଅପେକ୍ଷା ୨୦୨୩ରେ ୩୯ ପ୍ରତିଶତକୁ ବୃଦ୍ଧି ପାଇଛି ।

ସେହିପରି କଂଗ୍ରେସର ଭୋଟ ଭାଗ ୨୦୧୯ରେ ଥିବା ୧୯ ପ୍ରତିଶତରୁ ୨୦୨୩ରେ ୨୯ ପ୍ରତିଶତକୁ ବୃଦ୍ଧି ପାଇଛି । ୪୩ ପ୍ରତିଶତ ଲୋକ କହିଥିଲେ, ଯଦି ଆଜି ନିର୍ବାଚନ ହୁଏ, ତେବେ ନରେନ୍ଦ୍ର ମୋଦୀଙ୍କୁ ସେମାନେ ପୁନଶ୍ଚ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାହୁଲ ଗାନ୍ଧିଙ୍କୁ ଏହି ପଦ ପାଇଁ ୨୭ ପ୍ରତିଶତ ଲୋକ ପସନ୍ଦ କରିଥିଲେ । ସର୍ବୋଚ୍ଚ ପଦ ପାଇଁ ଲୋକଙ୍କ ପସନ୍ଦରେ ଅନ୍ୟ ନେତାମାନେ ବହୁତ ପଛରେ ଅଛନ୍ତି ।