କଂଗ୍ରେସର ହିସାବ । ୨୦୦୦ ଟଙ୍କିଆ ନୋଟ ବଦଳାଇବାରେ ବ୍ୟାଙ୍କର ୧୪୪ କୋଟି ମିନିଟ୍ ହେବ ବରବାଦ!

160

କନକ ବ୍ୟୁରୋ : ପୂରା ଦେଶରେ ୨୦୦୦ ଟଙ୍କିଆ ନୋଟ ବଦଳାଇବା ପ୍ର୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତ ବ୍ୟାଙ୍କରେ ନୋଟ ବଦଳା ଯାଇପାରୁଛି । ପ୍ରଥମ ଦିନ କିଛି ବ୍ୟାଙ୍କରେ ନୋଟ ବଦଳାଇବା ପାଇଁ କିଛି ମାତ୍ରାରେ ଭିଡ ରହିଥିଲା । କିନ୍ତୁ ଆଗକୁ ଏହି ଭିଡ ସେତେଟା ରହିବନି ବୋଲି ବ୍ୟାଙ୍କ୍ ପକ୍ଷରୁ କୁହାଯାଉଛି । କାରଣ ନୋଟ ବଦଳାଇବା ପାଇଁ ସାଧାରଣ ଲୋକଙ୍କ ହାତରେ ୪ ମାସରୁ ଅଧିକ ସମୟ ରହିଛି । ଏହାଛଡା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ନୋଟ କାରବାର ମଧ୍ୟ ହୋଇପାରିବ । କିନ୍ତୁ ଏଭଳି ନିଷ୍ପତ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏହି ଟଙ୍କା ବଦଳାଇବା ପ୍ରକ୍ରିୟା କେତେ ସମୟସାପେକ୍ଷ ଓ ଏଥିରେ କେତେ ସମୟ ନଷ୍ଟ ହେବ ତାହାର ଟିକିନିକି ହିସାବ ଦେଇଛି କଂଗ୍ରେସ ।

କଂଗ୍ରେସ ନେତା ଗୌରବ ବଲ୍ଲଭ କହିଛନ୍ତି, ଆଗାମୀ ୪ ମାସ ବ୍ୟାଙ୍କରେ ନୋଟ ବଦଳ ପ୍ରକ୍ରିୟା ପାଇଁ ଅଦିକ ସମୟ ଯିବ । ଏପରିକି ଏହି ଟଙ୍କା ଅଦଳବଦଳ ପାଇଁ କୋଟି କୋଟି ଘଣ୍ଟାର ନଷ୍ଟ ହେବ । ଯାହାର ହିସାବ ମଧ୍ୟ ରଖିଛି କଂଗ୍ରେସ । ଗୌରବ ବଲ୍ଲଭଙ୍କ କହିବା ଅନୁଯାୟୀ, ଦେଶରେ ଏବେ ୧୮୧ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ରହିଛି । ପ୍ରତ୍ୟେକ ବ୍ୟକ୍ତି ଯଦି ଥରକେ ୫ଟି ନୋଟ ବଦଳାନ୍ତି ତେବେ ଆଗାମୀ ୪ ମାସରେ ବ୍ୟାଙ୍କକୁ ୩୬ କୋଟିରୁ ଅଧିକ ଟ୍ରାଞ୍ଜାକସନ କରିବାକୁ ପଡିବ । ଯଦି ଗୋଟିଏ ଟ୍ରାଞ୍ଜାକସନ ପାଇଁ ସର୍ବନିମ୍ନ ୪ ମିନିଟ୍ ସମୟ ଲାଗେ ତେବେ ୩୬ କୋଟି ଟ୍ରାଞ୍ଜାକସନ ପାଇଁ ୧୪୪ କୋଟି ମିନିଟ୍ ସମୟ ଆବଶ୍ୟକ । ଅଥାର୍ତ ଚାରି ମାସରେ ୨.୫ କୋଟି ଘଣ୍ଟା କେବଳ ୨୦୦୦ ଟଙ୍କିଆ ନୋଟ ଅଦଳବଦଳରେ ଯିବ । ଏହାର ହିସାବ କିତାବ କଂଗ୍ରେସ ନିଜର ଟ୍ୱିଟର ପେଜରେ ମଧ୍ୟ ସେୟାର କରିଛି ।

ଆରବିଆଇ ଗାଇଡଲାଇନ ଅନୁଯାୟୀ, ଜଣେ ବ୍ୟକ୍ତି ସର୍ବାଧିକ ୨୦୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ କରିପାରିବେ । ଅଥାର୍ତ ଏକାଥରକେ ସର୍ବାଧିକ ୧୦ଟି ୨୦୦୦ ଟଙ୍କିଆ ନୋଟ ବଦଳା ଯାଇପାରିବ । ୨୦୦୦ ଟଙ୍କିଆ ନୋଟ ଅଦଳବଦଳରେ ଯେପରି ସମସ୍ୟା ନଉପୁଜେ ସେଥିପାଇଁ ବ୍ୟାଙ୍କ ଗୁଡିକ ମଧ୍ୟ ନିଜର ପ୍ରସ୍ତୁତି ଶେଷ କରିଛନ୍ତି ।