ଏସିଆ କପକୁ ନେଇ ବଢୁଛି ଉତ୍ସାହ : ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

249

କନକ ବ୍ୟୁରୋ : ପୁଣି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ସପ୍ତାହକ ପରେ ସମାନ ଦିନରେ ମୁହାମୁହିଁ ହେବେ ଏହି ଦୁଇ ଦଳ । ତେଣୁ ଦୁଇ ଦେଶର କ୍ରିକେଟ ପ୍ରେମୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବଢିଛି ଉତ୍ସାହ । ଅନ୍ତିମ ମୁକାବିଲାରେ ଭାରତ ପାକିସ୍ତାନକୁ ହରାଇଥିଲା । ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛକ୍କା ସମସ୍ତଙ୍କ ମନ ଜିତିଥିଲା ।

ହେଲେ ମ୍ୟାଚର ଅନ୍ୟତମ ନାୟକ ରବୀନ୍ଦ୍ର ଜାଡେଜା ଆଘାତ ପାଇଁ ଖେଳାଳି ତାଲିକାରୁ ବାଦ୍ ପଡି ସାରିଛନ୍ତି । ତାଙ୍କ ବଦଳ ଖେଳାଳି ଭାବେ ଅକ୍ଷର ପଟେଲଙ୍କୁ ସାମିଲ କରାଯାଇଛି । ଏନେଇ ବିସିସିଆଇ ଶୁକ୍ରବାର ସ୍ପଷ୍ଟ କରିଛି । ତେବେ ଜାଦେଜା ଏବେ ବିସିସିଆଇ ଡାକ୍ତରୀ ଦଳର ତତ୍ତ୍ବାବଧାନରେ ରହିଛନ୍ତି । ଏହା ପୂର୍ବରୁ ଅକ୍ଷର ଏସିଆ କପ୍‌ ଦଳରେ ଷ୍ଟାଣ୍ଡ୍‌ ବାଇ ଭାବେ ସ୍ଥାନ ପାଇଥିଲେ । ସେ ତୁରନ୍ତ ଦୁବାଇରେ ଭାରତୀୟ ଦଳ ସହ ‌ଯୋଗଦେବେ ବୋଲି ବିସିସିଆଇ କହିଛି । ତେଣୁ ମ୍ୟାନ୍ ଇନ୍ ବ୍ଲୁ ପାଇଁ ବଡ ଚ୍ୟାଲେଞ୍ଜ ରହିଛି । ଏହି ମ୍ୟାଚ ଉପରେ ଦୁଇ ଦେଶ ନୁହେଁ ବରଂ ସାରା ବିଶ୍ୱର ନଜର ରହିବ ।

ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), କେଏଲ୍‌ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା, ଋଷଭ ପନ୍ତ୍‌ ଓ ଦୀନେଶ କାର୍ତିକ (ୱିକେଟ୍‌ରକ୍ଷକ), ହାର୍ଦିକ୍‌ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିଚନ୍ଦ୍ରନ୍‌ ଅଶ୍ୱିନ, ୟୁଝ୍‌ବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ଆୱେସ ଖାନ୍‌।

ଷଷ୍ଠ ମ୍ୟାଚରେ ହଂକଂକୁ ପରାସ୍ତ କରିଛି ପାକିସ୍ତାନ । ଏହି ମ୍ୟାଚକୁ ୧୫୫ ରନରେ ବିଜୟ ହାସଲ କରିଛି ପାକିସ୍ତାନ । ଏଥିସହ ସୁପର-୪ ଗ୍ରୁପରେ ସାମିଲ ହୋଇଛି । ଏହି ବିଜୟ ପରେ ପାକିସ୍ତାନ ଆସନ୍ତାକାଲି ଭାରତ ସହିତ ଖେଳିବାକୁ ଯାଉଛି । ପୂର୍ବରୁ ଭାରତ ସୁପର- ୪ ଗ୍ରୁପରେ ପହଞ୍ଚି ସାରିଥିଲା । ହଂକଂ ବିପକ୍ଷରେ ପାକିସ୍ତାନ ପାଇଁ ଶାଦବ ଖାନ, ନାସିମ ଶାହା ଏବଂ ମହମ୍ମଦ ନୱାଜ ଚମତ୍କାର ବୋଲିଂ କରିଥିଲେ । ଏଥିସହ ମହମ୍ମଦ ରିଜୱାନ ବ୍ୟାଟିଂରେ ନିଜର ଜବରଦସ୍ତ ପ୍ରଦର୍ଶନ ଦେଖାଇଥିଲେ । ପାକିସ୍ତାନ ଦେଇଥିବା ଟାର୍ଗେଟକୁ ପଛି କରି ପଡିଆକୁ ଓହ୍ଲାଇଥିଲା ହଂକଂ । ହେଲେ ୧୦.୪ ଓଭରରେ ମାତ୍ର ୩୮ ରନରେ ଅଲ ଆଉଟ୍ ହୋଇଯାଇଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨ ୱିକେଟ୍ ହରାଇ ୨୦ ଓଭରରେ ୧୯୩ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ମହମ୍ମଦ ରିଜୱାନ ଅପରାଜିତ ୭୮ ରନ୍ କରିଥିଲେ ।