ଏୟାର ଇଣ୍ଡିଆ ଆଣିଲା ଫଗକେୟାର ସର୍ଭିସ, ଟିକେଟ କ୍ୟାନସଲ କିମ୍ବା ତାରିଖ ବଦଳାଇଲେ କଟିବନି ଚାର୍ଜ

119

କନକ ବ୍ୟୁରୋ : ଦେଶରେ କୁହୁଡିପାଗ ଲାଗି ରହିଥିବାରୁ ଏୟାର ଇଣ୍ଡିଆ ତାର ଯାତ୍ରୀମାନଙ୍କ ସୁବିଧା ପାଇଁ ଫଗକେୟାର ନାମକ ଏକ ଯୋଜନା ଆରମ୍ଭ କରିଛି । ଏନେଇ ଏୟାରଲାଇନ ପକ୍ଷରୁ କୁହାଯାଇଛି କି, ଏୟାରଲାଇନ ପକ୍ଷରୁ ଯାତ୍ରା କରିବାକୁ ଟିକେଟ କରିଥିବା ଯାତ୍ରୀଙ୍କ ସହ ସଂପର୍କ କରାଯାଇ ସେମାନଙ୍କ ବିକଳ୍ପକୁ ପ୍ରାଧାନ୍ୟ ଦିଆଯିବ ।

ଟାଟା ଗ୍ରୁପ ମାଲିକାନାରେ ଚାଲିଥିବା ଏୟାର ଇଣ୍ଡିଆ କୁହୁଡି ପାଗ କାରଣରୁ ଯାତ୍ରୀମାନଙ୍କ ସମସ୍ୟାକୁ ଧ୍ୟାନରେ ରଖି ଫଗକେୟାର ନାମକ ଏକ ଯୋଜନା ଆରମ୍ଭ କରିଛି । ଏହା ପ୍ରଥମେ ଦିଲ୍ଲୀ ବିମାନବନ୍ଦର ଦେଇ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ଲାଗୁ କରାଯାଇଛି ।

ଏୟାର ଲାଇନ ପକ୍ଷରୁ କୁହାଯାଇଛି କି, ଏହି ଯୋଜନା ଫଳରେ ଟିକେଟ କାଟିଥିବା ଯାତ୍ରୀମାନେ ନିର୍ଣ୍ଣୟ କରିବେ କି ସେମାନେ ଏବେ ଯାତ୍ରା କରିବେ କି ନାହିଁ । ଏହି ଯୋଜନା ମାଧ୍ୟମରେ ଯାତ୍ରୀମାନେ ସେମାନଙ୍କ ଯାତ୍ରା କ୍ୟାନସଲ କରିପାରିବେ କିମ୍ବା ସେମାନଙ୍କ ଯାତ୍ରା ତାରିଖ ଘୁଞ୍ଚାଇ ପାରିବେ । ଏଥିପାଇଁ ସେମାନଙ୍କୁ କୌଣସି ଅତିରିକ୍ତ ଶ୍ଳୁକ ଦେବାକୁ ପଡିବ ନାହିଁ ବା ଟିକେଟ କ୍ୟାନସଲ କଲେ କୌଣସି ଚାର୍ଜ ଲାଗିବ ନାହିଁ । ଯାତ୍ରୀମାନେ ଟିକେଟ କ୍ୟାନସଲ କଲେ ସେମାନେ ଟିକେଟ ବାବଦରେ ପୈଠ କରିଥିବା ସମସ୍ତ ଟଙ୍କା ଫେରିପାଇବେ ।

ଏୟାର ଲାଇନ ତରଫରୁ ଏକ ବିଜ୍ଞପ୍ତିରେ କୁହାଯାଇଛି କି,ଏହି ପ୍ରଚେଷ୍ଠା ଫଳରେ ବିମାନବନ୍ଦରରେ ଭିଡ କମହେବ । ଏହାସହ ବିମାନର ଉଡାଣ ରଦ୍ଦ ହେଲେ ଯାତ୍ରୀମାନଙ୍କୁ ଇ-ମେଲ, ଫୋନକଲ କିମ୍ବା ମେସେଜ ମାଧ୍ୟମରେ ସୂଚନା ଦିଆଯିବ ।