୩୯ ବର୍ଷ ପରେ ପୁଣି ଚର୍ଚ୍ଚାରେ ଇନ୍ଦିରା ଗାନ୍ଧୀଙ୍କ ଶେଷ ମୁହୂର୍ତର କଥା: ଦେଶର ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ପି ବେଣୁଗୋପାଳ ତାଙ୍କ ପୁସ୍ତକରେ ଲେଖିଛନ୍ତି ଏମିତି କଥା

338

କନକ ବ୍ୟୁରୋ: ଦୀର୍ଘ ୩୯ ବର୍ଷ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶେଷ ମୁହୂର୍ତର କଥା ପୁଣି ଚର୍ଚ୍ଚାକୁ ଆସିଛି । ଦେଶର ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ପି ବେଣୁଗୋପାଳ ହାର୍ଟଫେଲ ଏ କାର୍ଡିଆକ ସର୍ଜନଓ ପାୟୋନିୟରିଂ ଜର୍ଣ୍ଣି ନାଁରେ ଏକ ପୁସ୍ତକ ଲେଖିଛନ୍ତି । ଯେଉଁଥିରେ ଗୁଳିବିଦ୍ଧ ଇନ୍ଦିରାଙ୍କୁ ଦିଲ୍ଲୀ ଏମ୍ସକୁ ଆଣିବା ପରେ କେମିତି ଚିକିତ୍ସା କରାଯାଇଥିଲା, ବଂଚାଇବାକୁ କଣ ପଦକ୍ଷେପ ନିଆଯାଇଥିଲା । ପୁସ୍ତକରେ ସେସବୁ ବିଶଦ ଭାବେ ବର୍ଣ୍ଣନା କରି ବେଣୁଗୋପାଳ ଇନ୍ଦିରା ଗାନ୍ଧୀଙ୍କ ଶେଷ ମୂହୂର୍ତକୁ ମନେ ପକାଇଛନ୍ତି ।

ପୁଣି ଚର୍ଚ୍ଚାକୁ ଫେରିଛି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ହତ୍ୟା ଘଟଣା । ୧୯୮୪ ମସିହା ଅକ୍ଟୋବର ୩୧ରେ ଇନ୍ଦିରାଙ୍କ ଗୁଳିବିଦ୍ଧ ଶରୀର ଦିଲ୍ଲୀ ଏମ୍ସକୁ ଅଣାଯାଇଥିଲା । ଅପରେସନ ଥ୍ରୀଏଟରକୁ ନେବା ପାଇଁ ରକ୍ତ ଜୁଡୁବୁଡୁ ଶରୀରକୁ ଉଠାଇଲା ବେଳେ ଦେହରୁ ଚଟଣାରେ ଖସିପଡୁଥିଲା ଗୁଳି । ଗୁଳିବିଦ୍ଧ ସ୍ଥାନରୁ ଲଗାତାର ରକ୍ତ ଝରୁଥିଲା । ଦେଶର ପ୍ରସିଦ୍ଧ ଡାକ୍ତର ପି ବେଣୁଗୋପାଳ ତାଙ୍କ ପୁସ୍ତକ ‘ହାର୍ଟଫେଲ ଏ କାର୍ଡିଆକ ସର୍ଜନସ ପାୟୋନିୟରି ଜର୍ଣ୍ଣି’ରେ ଏସବୁ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି ।

 ଡାକ୍ତର ପି.ବେଣୁଗୋପାଳଙ୍କ ପୁସ୍ତକ ଲୋକାର୍ପିତ ହେବା ପରେ ଇନ୍ଦିରାଙ୍କ ଅନ୍ତିମ ମୂହୂର୍ତର ଘଟଣାବଳୀ ଦୀର୍ଘ ୩୯ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି । ଇନ୍ଦିରାଙ୍କ ରକ୍ତଜୁଡୁବୁଡୁ ଶରୀର ଏମ୍ସ ପହଂଚିବା ପରେ ବଂଚାଇବାକୁ କେମିତି ଉଦ୍ୟମ କରାଯାଇଥିଲା ପୁସ୍ତକରେ ବେଣୁଗୋପାଳ ଟିକିନିକି ବର୍ଣ୍ଣନା କରିଛନ୍ତି ।

ପୁସ୍ତକରେ ପି ବେଣୁ ଗୋପାଳ ଲେଖିଛନ୍ତି, ସେହି ସମୟରେ ସେ ଦିଲ୍ଲୀ ଏମ୍ସର ହୃଦରୋଗ ବିଭାଗର ମୁଖ୍ୟ ଥିଲେ ।ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜ ଦୁଇ ଦେହରକ୍ଷୀଙ୍କ ଗୁଳିମାଡର ଶିକାର ହେବା ପରେ ତୁରନ୍ତ ତାଙ୍କୁ ଦିଲ୍ଲୀ ଏମ୍ସକୁ ଅଣାଯାଇଥିଲା ।

ଆକ୍ରମଣକାରୀମାନେ ଇନ୍ଦିରା ଗାନ୍ଧୀଙ୍କ ଉପରେ ମୋଟ ୩୩ଟି ଗୁଳି ଚଳାଇଥିଲେ
ସେଥିମଧ୍ୟରେ ୩୦ଟି ଗୁଳି ଇନ୍ଦିରାଙ୍କ ଦେହରେ ବାଜିଥିଲା
୨୩ଟି ଗୁଳି ଶରୀରକୁ ବିଦ୍ଧ କରି ବାହାରି ଯାଇଥିଲା, ୭ଟି ଗୁଳି ଦେହରେ ଥିଲା

ଗୁଳିମାଡରେ ଇନ୍ଦିରା ଗାନ୍ଧୀଙ୍କ ଦେହରୁ ଅନବରତ ରକ୍ତ ଝରୁଥିଲା । ରକ୍ତରେ ତାଙ୍କ ଶାଢି ବୁଡିଯାଇଥିଲା । ମୁହଁ ଶେଥୁଆ ପଡିଯାଇଥିଲା । ଡାକ୍ତରମାନେ ତାଙ୍କୁ ରକ୍ତ ଦେବାକୁ ଚେଷ୍ଟା କରୁଥିଲେ । ହେଲେ ଯେତିକି ରକ୍ତ ଚଢାଯାଉଥିଲା ଗୁଳିବିଦ୍ଧ ସ୍ଥାନରେ ବୋହି ଆସୁଥିଲା ସେହିପରିମାଣର ରକ୍ତ ବୋଲି ହାର୍ଟଫେଲ ପୁସ୍ତକରେ ଲେଖିଛନ୍ତି ଡାକ୍ତର ପି. ବେଣୁଗୋପାଳ ।

ପୁସ୍ତକରେ ବେଣୁଗୋପାଳ ଲେଖିଛନ୍ତି ସେହି ଦିନ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକଙ୍କ ଅବସର ପରେ ନୂଆ ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କରିବା କାର୍ଯ୍ୟକ୍ରମ ଥିଲା । କିନ୍ତୁ ଇନ୍ଦିରାଙ୍କ ଗୁଳିବିଦ୍ଧ ଶରୀର ଏମ୍ସ ପହଂଚିବା ପରେ ସବୁ ଚଳଚଂଚଳ ହୋଇପଡିଥିଲା । ସବୁ ପ୍ରୋଟୋକଲ ଫେଲମାରିଥିଲା ଓ ଚିକିତ୍ସାରେ ସହାୟତା ପାଇଁ ଏମ୍ସର ଅଧିକାଂଶ କର୍ମଚାରୀ ଧାଁ ଦୌଡ କରୁଥିଲେ ।

ଇନ୍ଦିରା ଗାନ୍ଧୀଙ୍କ ଶରୀରୁ ରକ୍ତ ବୋହିବା ବନ୍ଦ ହେଉନଥିବାରୁ ସମସ୍ତଙ୍କ ଚିନ୍ତା ବଢିଯାଇଥିଲା । ତେଣୁ ଡାକ୍ତର ବେଣୁଗୋପାଳଙ୍କ ସହ ପରାମର୍ଶ କରିଥିଲେ ଏମ୍ସ ନିର୍ଦ୍ଦେଶକ । ପୁସ୍ତକରେ ସେ ଲେଖଛନ୍ତି
ରକ୍ତ କ୍ଷରଣ ରୋକିବା ପାଇଁ ଇନ୍ଦିରା ଗାନ୍ଧୀଙ୍କୁ ତୁରନ୍ତ ଅସ୍ତ୍ରୋପଚାର କକ୍ଷକୁ ନେବାକୁ କହିଥିଲେ
ଇନ୍ଦିରାଙ୍କୁ ରକ୍ତଭିଜା ଶାଢି ସହ ଉଠାଯିବା ପରେ ଦେହରୁ ଗୁଳି ଖସି ଚଟାଣରେ ପଡିଥିଲା
ଇନ୍ଦିରାଙ୍କୁ ବାଏପାସ୍ ମେସିନରେ ରଖି ତଳକୁ ଯାଇଥିବା ଧମନୀକୁ ଚାପି ଗୁଳି ବିଦ୍ଧି ପେଟକୁ ରକ୍ତ ପ୍ରବାହିତ କରିବାକୁ ଦିଆଯାଇନଥିଲା
ଏପରି କରି ଶରୀରରୁ ରକ୍ତ ନିର୍ଗତ ରୋକିବାକୁ ଉଦ୍ୟମ କରାଯାଇଥିଲା
ଅପରାହ୍ନ ୨ଟାରେ ଇନ୍ଦିରାଙ୍କୁ ବାଏପାସ ମେସିନରୁ ବାହାର କରିବାକୁ ଉଦ୍ୟମ କରାଯାଇଥିଲା
ହେଲେ ତାଙ୍କୁ ବଂଚାଇବା ସମ୍ଭବ ହୋଇପାରିନଥିଲା
ଦୀର୍ଘ ୪ ଘଂଟା ମୃତ୍ୟୁ ସହ ସଂଘର୍ଷ କରିବା ପରେ ଆଖି ବୁଜିଥିଲେ ଇନ୍ଦିରା ଗାନ୍ଧୀ
ଇନ୍ଦିରା ଗାନ୍ଧୀଙ୍କ ଦେହାନ୍ତ ଖବର ଦେବା ପାଇଁ ଡାକ୍ତର ବେଣୁଗୋପାଳ ଅସ୍ତ୍ରୋପଚାର କକ୍ଷରୁ ହତାଶ ହୋଇ ବାହାରିଥିଲେ ବୋଲି ନିଜ ପୁସ୍ତକରେ ଲେଖିଛନ୍ତି ।