ଚର୍ଚ୍ଚାରେ ବିଜେଡି ନେତା ପ୍ରସନ୍ନ ପାଟ୍ଟଣାଣୀଙ୍କ ମନ୍ତବ୍ୟ । କହିଲେ, ଟିକେଟ ତାଲିକାରେ ଅଛି ନାଁ, ହେଲେ ମୁହଁ ଖୋଲିଲେ କଟିଯିବ ଟିକେଟ୍

294

କନକ ବ୍ୟୁରୋ: ଆଗକୁ ଆସୁଛି ନିର୍ବାଚନ, ୨୪ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି ନେତା । ଠିକ୍ ଏତିକି ବେଳେ ଟିକେଟ ପାଇଁ ନେତା ଉଦ୍ୟମ କରିବା ସ୍ୱାଭାବିକ ଘଟଣା । କିଏ ନିର୍ବାଚନ ଲଢ଼ିବେ, କାହାକୁ ଟିକେଟ୍ ମିଳିବ, ଏହି ଚର୍ଚ୍ଚା ଭିତରେ ବିିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ଏକ ବୟାନ ସୃଷ୍ଟି କରିଛି, ରୋଚକ ରାଜନୀତି ।

  • ‘ମୋ ଟିକେଟ ଥୁଆ ହୋଇଛି’
  • ‘ମୁହଁ ଖୋଲି ଦେଲେ କଟିଯିବ’

ଅବସର ଥିଲା, ଖୋର୍ଦ୍ଧା-ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ପରିବର୍ଦ୍ଦିତ କାର୍ଯ୍ୟକାରିଣୀ ବୈଠକ । ବୈଠକରେ ସାମିଲ ଥିଲେ ସାଂଗଠନିକ ଜିଲ୍ଲର ଅନେକ ନେତା । ୨୪ ଲଢ଼େଇରେ ଦଳର ରଣନୀତି ବି ପ୍ରସ୍ତୁତ ହୋଇଥିଲା । ହେଲେ ଶଙ୍ଖଭବନରୁ ବାହାରିଲା ବେଳେ ପୂର୍ବତନ ବିଜେଡି ସାଂସଦ ଯାହା କହିଲେ, ବିରୋଧୀଙ୍କୁ ଟାର୍ଗେଟ୍ କରିବାର ଏକ ସୁଯୋଗ ଆଣି ଦେଇଛି ।

ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି, ନିର୍ବାଚନ ଲଢ଼ିବାକୁ ସେ ଆଗ୍ରହୀ ଅଛନ୍ତି । ତାଙ୍କର ବୟସ ଅଛି, ଶକ୍ତି ଅଛି । ଦଳ ଚାହିଁଲେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ ଏତିକି ଯାଏଁ ପ୍ରସନ୍ନ ପାଟ୍ଟଶାଣୀଙ୍କ ବୟାନରେ ହୁଏତ କୌଣସି ଅସୁବିଧା ନଥିଲା । ହେଲେ ୫-୫ ଥର ନିର୍ବାଚନ ଜିତିଥିବା ଦଳର ବରିଷ୍ଠ ନେତା, ମୁହଁ ଖୋଲିଦେଲେ ଟିକେଟ କଟିଯିବ କହିବା ଭିନ୍ନ ଏକ ବିତର୍କ ସୃଷ୍ଟି କରିଛି । ଦୁଇଦିନ ତଳେ ବିଜେପି ନେତା ପ୍ରଦୀପ ପୁରୋହିତ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ସମାନ ଢ଼ଙ୍ଗରେ କିଛି ପ୍ରଶ୍ନ ଉଠାଇଥିଲେ । ବିଜେଡି ନେତାଙ୍କ ଉର୍ଦ୍ଦେଶ୍ୟରେ କହିଥିଲେ- ବଡ଼ ବଡ଼ ନେତା ଅସନ୍ତୁଷ୍ଟ ଅଛନ୍ତି, ବ୍ୟକ୍ତିଗତ ଭାବରେ ପ୍ରତିବାଦ କରୁଛନ୍ତି କିନ୍ତୁ ମୁହଁ ଖୋଲୁନାହାନ୍ତି । ଯିଏ ବିରୋଧ କରିବେ ତାଙ୍କ ନାଁ କଟିଯିବ, ସେଥିପାଇଁ ନେତାଙ୍କ ମୁହଁ ବନ୍ଦ ।

ଲୋକସଭା ହେଉ ବା’ ରାଜ୍ୟସଭା, ପ୍ରତି ନିର୍ବାଚନରେ ଟିକେଟ ଆଶାରେ ରହୁଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ଏହି ବୟାନ ଶାସକ ବିଜେଡି ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି ।