ଆଦାନୀ-ହିଣ୍ଡେନବର୍ଗ ବିବାଦ ପ୍ରସଙ୍ଗ, ସରକାର ବାଛିବେନି କମିଟି ସଦସ୍ୟ

181

କନକ ବ୍ୟୁରୋ : ବନ୍ଦ ଲଫାଫାରେ କମିଟି ସଦସ୍ୟ ଏବଂ ବିଶେଷଜ୍ଞଙ୍କ ନାମ ଦେଲେ ଗ୍ରହଣ କରିବେ ନାହିଁ ସୁପ୍ରିମକୋର୍ଟ । ଆଦାନୀ- ହିଣ୍ଡେନବର୍ଗ ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡି. ୱାଇ ଚନ୍ଦ୍ରଚୁଡ ଏହା କହିଛନ୍ତି । ଯଦି ସରକାର ଦେଇଥିବା ସଦସ୍ୟଙ୍କ ନାମକୁ ସାମ୍ବିଧାନିକ କମିଟି ଭାବେ ଗ୍ରହଣ କରାଯିବ ତାହେଲେ ଏହା ସରକାରଙ୍କ ଦ୍ୱାରା ଗଠିତ ବୋଲି ବୁଝାପଡିବ । କିନ୍ତୁ କମିଟି ଉପରେ ଲୋକଙ୍କ ବିଶ୍ୱାସ ଆସିବା ଉଚିତ ବୋଲି ସିଜେଆଇ କହିଛନ୍ତି । ଏହି ମାମଲାରେ କୌଣସି କାର୍ଯ୍ୟରତ ବିଚାରପତିଙ୍କ ଅଧୀନରେ ତଦନ୍ତ କମିଟି ହେବ ନାହିଁ ବରଂ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ କମିଟି ତିଆରି ହେବ ବୋଲି ସେ କହିଛନ୍ତି । ଆମେରିକାର ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଆଦାନୀରେ ନିବେଶ କରିଥିବା ବ୍ୟକ୍ତି କ୍ଷତିରେ ପଡିଛନ୍ତି । ବଜାରରେ ଅସ୍ଥିରତା ଦେଖାଦେଇଛି । ଏହାକୁ ଗୁରୁତର ସହ ଗ୍ରହଣ କରି ଫେବୃଆରୀ ୧୦ରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜଣେ ପୂର୍ବତନ ବିଚାରପତିଙ୍କ ନେତୃତ୍ୱରେ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ଯାହା ନିୟନ୍ତ୍ରଣ ବ୍ୟବସ୍ଥାକୁ ଆହୁରି ମଜବୁତ କରିପାରିବ ।

ଆମେରିକାର ହିଣ୍ଡେନବର୍ଗର ରିପୋର୍ଟ ପରେ ଆଦାନୀ ଗ୍ରୁପ ଏଯାବତ ପ୍ରାୟ ୧୦ ଲକ୍ଷ କୋଟିରୁ ଅଧିକ କ୍ଷତି ସହିଲାଣି । ଏହାରି ଭିତରେ ଆମେରିକାର ଅନ୍ୟତମ ନିବେଶକ ଜର୍ଜ ସୋରୋସ ବଡ ବୟାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କହିଥିଲେ ମୋଦୀ ଏହି ପ୍ରସଙ୍ଗରେ କାହିଁକି ନୀରବ ଅଛନ୍ତି । ଏହି ପ୍ରସଙ୍ଗରେ ତାଙ୍କୁ ନିଜ ସଂସଦ ସମେତ ବିଦେଶୀ ନିବେଶକଙ୍କୁ ବି ଜବାବ ଦେବାକୁ ପଡ଼ିବ । ଭାରତର ସଂଘୀୟ ସରକାର ଉପରେ ଏହା ମୋଦୀଙ୍କ ପ୍ରଭାବ କମାଇଦେବ । ଜବାବରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିଦେଶୀ ଶକ୍ତି ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଥିବାରୁ ଭାରତୀୟମାନଙ୍କୁ ଏକଜୁଟ ହେବାକୁ ପଡିବ ।

ଜାନୁଆରୀ ୨୪ରେ ପ୍ରକାଶିତ ହିଣ୍ଡେନବର୍ଗ ରିପୋର୍ଟ ପରେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ୪ ଟି ପିଆଇଏଲ ଦାଖଲ କରାଯାଇଛି । ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଏହି କମ୍ପାନି ବର୍ତ୍ତମାନ ସୁଦ୍ଧା ଘାଟାରେ ରହିଛି ।