ତୁର୍କୀରୁ ଫେରିଲେ ଏନଡିଆରଏଫ ବୀର, ଦେଶରେ ହେଲା ଜୋରଦାର ସ୍ୱାଗତ

165

କନକ ବ୍ୟୁରୋ : ପ୍ରଳୟଙ୍କାରି ଭୁକମ୍ପରେ ତୁର୍କୀକୁ ସାହାଯ୍ୟ କରିବା ପରେ ଭାରତ ଫେରିଛନ୍ତି ଏନଡିଆରଏଫ ଟିମ୍ । ୪୭ ଜଣିଆ ଏନଏଡିଆରଏଫର ଏହି ଟିମ୍ ତୁର୍କୀରେ ପ୍ରଂଶସନୀୟ କାମ କରିବାର ୧୦ ଦିନ ପରେ ଦେଶକୁ ଫେରିଛନ୍ତି । ଫେରିବା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯାଇଛି । ଦିନରାତି ଲାଗିପଡି ଧ୍ୱଂସାବଶେଷ କୋଠା ତଳୁ ପୋତି ହୋଇଯାଇଥିବା ଲୋକଙ୍କୁ ଉଦ୍ଧାର କରୁଥିଲେ ଏହି ଟିମ୍ । ପ୍ରତି ମୂହୁର୍ତରେ ମୃତ୍ୟୁକୁ ଡରି ଡରି ବଂଚୁଥିବା ଲୋକଙ୍କ ପାଇଁ ଏମାନେ ସାଜିଥିଲେ ଦେବଦୂତ । ଏଥିସହ ଟିମରେ ସାମିଲ ଥିବା ୪ଟି ସନ୍ଧାନୀ କୁକୁର ବା ସ୍ନିପର ଡଗ୍ ଜୁଲି, ରୋମିଓ, ହନି ଓ ରାମ୍ବୋ ମଧ୍ୟ ଫେରିଛନ୍ତି । ଏହି ଡଗ ସ୍କାର୍ଡ ଭଙ୍ଗା କୋଠା ତଳୁ ଜୀବିତ ଲୋକଙ୍କୁ ଖୋଜି ବାହାର କରିବାରେ ପ୍ରମୁଖ ଭୂମିକା ତୁଲାଉଥିଲେ । ଏକ ୬ ବର୍ଷୀୟ ଝିଅକୁ ଉଦ୍ଧାର କରିବାରେ ଯେତେବେଳେ ମେସିନ୍ ବିଫଳ ହୋଇଥିଲା, ସେତେବେଳେ ସେହି ବାଳିକାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ହିରୋ ପାଲଟିଥିଲା ସନ୍ଧାନୀ କୁକୁର ରୋମିଓ ଓ ଜୁଲି ।

ବିନାଶକାରୀ ଭୂକମ୍ପରେ ଫାଟି ଯାଇଛି ତୁର୍କୀର ଛାତି । ଭଙ୍ଗା କୋଠା ତଳେ ଚାପି ହୋଇଥିବା ଜୀବନ ସାହାଯ୍ୟ ଅପେକ୍ଷାରେ ଚାହିଁ ରହିଁଥିଲା । ଆଉ ପ୍ରଥମ ଦେଶ ଭାବେ ଭାରତ ହିଁ ଉଦ୍ଧାର ପାଇଁ ଆଗେଇ ଆସିଥିଲା । ଉଦ୍ଧାର ପାଇଁ ୬ଟି ଯୁଦ୍ଧ ବିମାନ ସହ ଉଦ୍ଧାରକାରୀ ଦଳ ଓ ରିଲିଫ୍ ପଠାଇଥିଲା ଭାରତ । କେବଳ ସେତିକି ନୁହେଁ, ତୁର୍କୀକୁ ଡାକ୍ତରୀ ଦଳ ଓ ଔଷଧ ଯୋଗାଇଦେବା ସହ ସେଠାରେ ୩୨ ଶଯ୍ୟା ବିଶିଷ୍ଠ ଏକ ହସ୍ପିଟାଲ ନିର୍ମାଣ କରି ଆହତ ଲୋକଙ୍କୁ ସେବା ଯୋଗଇ ଦେଇଥିଲା ଭାରତ ।

ତୁର୍କୀର ବିପଦ ବେଳେ ପ୍ରକୃତ ସାଥୀ ଭଳି ପାଖରେ ଛିଡା ହୋଇଛି ଭାରତ । ଭାରତୀୟ ସେନା ଓ ଏନଡିଆରଏଫ ଟିମ୍ ‘ଅପରେସନ୍ ଦୋସ୍ତ’ ନାଁରେ ଅଭିଯାନ ଆରମ୍ଭ କରି ମାଟିତଳୁ ଲୋକଙ୍କୁ ଉଦ୍ଧାର କରିଛି ।