କୋରେଇ ବ୍ଲକରେ ଆବାସ ପାଲଟିଛି ପ୍ରହସନ। ଏବେବି ପଲିଥିନ ତଳେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ।

58

କନକ ବ୍ୟୁରୋ: ପ୍ରହସନ ପାଲଟିଛି ଆବସ ଯାଜନା । ଯୋଜନାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ । ଆଉ ପଲିଥିନ୍ ତଳେ ଦିନ କାଟୁଛନ୍ତି । ଏହିଭଳି ଜଣେ ହିତାଧିକାରୀ ହେଉଛନ୍ତି କୋରେଇ ବ୍ଲକ ବଡ଼ବୀରୁହଁ ଗାଁର ପ୍ରଦୀପ ମହାପାତ୍ର । ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ଆଉ ଝିଅ । ଲଘୁଚାପ ବର୍ଷାରେ ଘର ଭାଙ୍ଗିଯିବା ପରେ ୪ପ୍ରାଣୀଙ୍କ ଅବସ୍ଥା କହିଲେ ନସରେ । ଏଭଳି ଅବସ୍ଥାରେ ଆଶ୍ରୟ ନେଇଛନ୍ତି ପ୍ରଦୀପଙ୍କ ପରିବାର । ଘର ଚାରିପଟେ ବନ୍ଧା ହୋଇଛି ଜରି ପାଲ । କାନ୍ଥ ସବୁ ଫାଟି ଆଁ କରିଥିବା ବେଳେ ଏହି ଅବ୍ୟବସ୍ଥା ଭିତରେ ଚଳୁଛନ୍ତି ସ୍ୱାମୀ, ସ୍ତ୍ରୀ । ଦିନ ମଜୁରିଆ ଭାବେ କାଳ କାଟୁଥିବା ପ୍ରଦୀପଙ୍କ ପାଇଁ ଘର ଖଣ୍ଡିଏ ପାଇବା ଯେମିତି ସ୍ୱପ୍ନ ପାଲଟିଛି । ଏନେଇ ପ୍ରଶାସନ ପାଖରେ ଗୁହାରି କରିଥିଲେ ବି କୌଣସି ସୁଫଳ ମିଳିପାରିନାହିଁ ।

ସେହିପରି ବନ୍ଦାଳ ପଞ୍ଚାୟତର ହଟପୁର ଗାଁରେ ୩ଶହରୁ ଅଧିକ ଲୋକ ବସବାସ କରନ୍ତି । ଗାଁର ୬୦ ଭାଗ ଲୋକ ପ୍ରାୟତଃ ଦିନ ମଜୁରିଆ । ମୂଲ ଲାଗିଲେ ଚୁଲି ଜଳେ । ଦିନକୁ ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳିବା କଷ୍ଟକର ହୋଇପଡ଼େ । କାମ ନମିଳିଲେ ବେଳେବେଳେ ଉପାସରେ ବି ରହିବାକୁ ପଡ଼େ । ଅଧିକାଂଶ ଘରକୁ ସାହା ପାଲଟିଛି ଫଟା ଫଲିଥିନି ଓ ଜରିପାଲ । ନିର୍ବାଚନ ବେଳେ ନେତାଙ୍କ ବଡ଼ ବଡ଼ ପ୍ରତିଶ୍ରୁତି ମିଳେ । ହେଲେ ନିର୍ବାଚନ ସରିଗଲା ପରେ ଗାଁଲୋକଙ୍କ ଦୁର୍ଦ୍ଦଶାକୁ ଅଣଦେଖା କରନ୍ତି ନେତା । କେବେ ହିତାଧିକାରୀଙ୍କୁ ପ୍ରଶାସନ ପକ୍ଷରୁ ଘର ଯୋଗାଇ ଦିଆଯିବ ପକ୍କା ଘର ପାଇବାର ସ୍ୱପ୍ନ ପୁରଣ ହେବ ତାହା ଦେଖିବାକୁ ବାକି ରହିଲା ।