ନକଲି ପରିଚୟପତ୍ର ରୋକିବାକୁ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ କରି ଆଧାର କାର୍ଡକୁ ଭୋଟର ଆଇଡି କାର୍ଡ ସହିତ ଯୋଡିବା ଜରୁରୀ କହିଲା କେନ୍ଦ୍ର

199

କନକ ବ୍ୟୁରୋ : ପୂର୍ବରୁ ଆଧାରକୁ ପାନ୍ କାର୍ଡ ସହିତ ଲିଙ୍କ୍ କରିବା ଆବଶ୍ୟକ ଥିଲା । ଏବେ କିନ୍ତୁ ଆଧାର କାର୍ଡକୁ ଭୋଟର ଆଇଡି କାର୍ଡ ସହିତ ଲିଙ୍କ୍ କରିବା ଜରୁରୀ । କେନ୍ଦ୍ର ସରକାର ଏନେଇ ନିଷ୍ପତି ନେଇଛନ୍ତି । ଜଣେ ବ୍ୟକ୍ତିଙ୍କର କେବଳ ଗୋଟିଏ ଭୋଟର ପରିଚୟ ପତ୍ର ରହିବ ଏବଂ ଯେଉଁମାନଙ୍କର ଏକରୁ ଅଧିକ ଭୋଟର ପରିଚୟ ପତ୍ର ଅଛି ସେମାନଙ୍କୁ ଚିହ୍ନଟ କରିବାକୁ ଏବଂ ନକଲି ଭୋଟର ପରିଚୟପତ୍ର ହଟାଇବାକୁ ଯାଇ ଏପରି ନିଷ୍ପତି ନିଆଯାଇଛି ବୋଲି ସରକାର କହିଛନ୍ତି । ଏ ବାବଦରେ ସରକାର ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି । ଆଇନ ମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।
ନିର୍ବାଚନ ପ୍ରକ୍ରିୟାରେ ଉନ୍ନତି ଆଣିବା ପାଇଁ ମୋଦୀ ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ଜଣେ ନାଗରିକ ୧୮ ବର୍ଷ ବୟସ ହେବା ପରେ ୪ ଥର ଅର୍ଥାତ୍ ଜାନୁଆରୀ ୧, ଏପ୍ରିଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧ରେ ଭୋଟର ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । ପୂର୍ବରୁ ଭୋଟର ଭାବେ ପଞ୍ଜିକରଣ ପାଇଁ ଜାନୁଆରି ୧ ତାରିଖ ଏକମାତ୍ର କଟ୍ ଅଫ୍ ତାରିଖ ଥିଲା । ଏହି ଚାରିଟି ଯୋଗ୍ୟତା ତାରିଖ ଭୋଟରଙ୍କ ସଂଖ୍ୟାକୁ ଯଥେଷ୍ଟ ବୃଦ୍ଧି କରିବ ବୋଲି ରିଜିଜୁ କହିଛନ୍ତି । ଏହାବାଦ ସରକାର ଲିଙ୍ଗଗତ ଭେଦଭାବକୁ ଦୂରେଇବାକୁ ଯାଇ ପରିଚୟପତ୍ରରେ “ୱାଇଫ” ଶବ୍ଦ ପ୍ରତିବଦଳରେ “ସ୍ପାଉସ” ଲେଖାଯିବ । ଏହା ଫଳରେ ସର୍ଭିସ ଭୋଟରଙ୍କ ପାଇଁ ଉଦ୍ଦିଷ୍ଟ ଭୋଟିଂ ସୁବିଧା ସେମାନଙ୍କ ସ୍ୱାମୀଙ୍କୁ ମଧ୍ୟ ପ୍ରଦାନ କରାଯିବ । ପୂର୍ବରୁ କେବଳ ସର୍ଭିସ ଭୋଟରମାନେ ପତ୍ନୀମାନେ ହିଁ ଏହି ସୁବିଧା ପାଇପାଉଥିଲେ । ନିଜ ରାଜ୍ୟ ବାହାରେ ମୁତୟନ ହୋଇଥିବା ଯବାନ କିମ୍ବା ବିଦେଶରେ ଥିବା ଭାରତୀୟ ମିଶନର ସଦସ୍ୟମାନେ ସର୍ଭିସ ଭୋଟର ଭାବେ ବିବେଚିତ ହେଉଛନ୍ତି । ସର୍ଭିସ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ଉପଲବ୍ଧ କରାଯାଏ କିମ୍ବା ସେମାନେ ମଧ୍ୟ ସେମାନଙ୍କ ପାଇଁ ଭୋଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ମନୋନୀତ କରିପାରିବେ ।