ଏତଲା ଆଧାରରେ ଆଜି ହୋଇପାରେ ସୋମାଲିକାଙ୍କ ବୟାନ ରେକର୍ଡ । ବଢିଲା ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ

216

କନକ ବ୍ୟୁରୋ : ତିର୍ତୋଲ ବିଧାୟକ ବିଜୟଶଙ୍କର ଦାସ ସେକ୍ସ ରାକେଟ୍ ଚଳାଉଛନ୍ତି । ଏଭଳି ସଂଗିନ ତଥା ଗୁରୁତର ଅଭିଯୋଗ ଆଣିଛନ୍ତି ତାଙ୍କର ପ୍ରେମିକା ସୋମାଲିକା ଦାସ । ଅଭିଯୋଗ ଆଧାରରେ ପୁଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି । ତେଣୁ ଆଜି ଅଭିଯୋଗକାରିଣୀ ତଥା ବିଧାୟକଙ୍କ ପ୍ରେମିକା ସୋମାଲିକାଙ୍କର ବୟାନ ରେକର୍ଡ ହୋଇପାରେ । ଜଣେ ମହିଳା ପୁଲିସ ଅଧିକାରୀ ତାଙ୍କ ବୟାନ ରେକର୍ଡ କରିବେ । ଏହାପରେ ପୁଲିସ ହୁଏତ ବିଧାୟକଙ୍କୁ ଜେରା କରିବାକୁ ପଦକ୍ଷେପ ନେଇପାରେ ବୋଲି କୁହାଯାଉଛି । ବିଧାୟକଙ୍କ ସେକ୍ସ ରାକେଟ ଚଳାଉଥିବା ନେଇ ଅଭିଯୋଗ ଆସିବା ପରେ ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି । ବିଜୟ ଶଙ୍କରଙ୍କ ସହ ୬ ଜଣଙ୍କ ନାଁ ସୋମାଲିକା ଏତଲାରେ ଉଲ୍ଲେଖ କରିଛନ୍ତି । ଯେଉଁଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ନାଁ ଉଲ୍ଲେଖ କରିଛନ୍ତି । ଏତଲାରେ ସେ ବିଧାୟକଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛନ୍ତି । ସୋମାଲିକା ଦର୍ଶାଇଛନ୍ତି ଯେ ନିରୀହ ଝିଅଙ୍କୁ ସେକ୍ସ କାରବାରରେ ନିୟୋଜିତ କରି ସେଥିରେ ସଂଗୃହୀତ ଅର୍ଥ ବିଧାୟକ ନିର୍ବାଚନରେ ଖର୍ଚ୍ଚ କରୁଛନ୍ତି ।
ଅନ୍ୟପଟେ ଆଇନଜୀବୀଙ୍କୁ ଗାଳିଗୁଲଜ, ଧମକ ନେଇ ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି । କିନ୍ତୁ ବିଜୟଶଙ୍କର ଏଭଳି ଅଭିଯୋଗ ସଂପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି । ସେ ସମସ୍ତ ଅଭିଯୋଗକୁ ଭିତିହୀନ ବୋଲି କହିଛନ୍ତି । ସୋମାଲିକା ଓ ବିଜୟ ଶଙ୍କର ମେ ମାସ ୧୭ ତାରିଖରେ ବିବାହ କରିବା ପାଇଁ ସବ୍ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ । କିନ୍ତୁ ବିଧାୟକ ଆସିନଥିଲେ । ପରେ ସୋମାଲିକା ଗଣମାଧ୍ୟମକୁ କହିଥିଲେ ଯେ ବିଜୟ ଶଙ୍କର ତାଙ୍କୁ ବିବାହ କରିବାକୁ ଆସିବାର ପ୍ରତିଶ୍ରୁତି ଦେଇ ଆସି ନ ଥିଲେ ।