ପିଲାଙ୍କୁ ପଢ଼ିବା ପାଇଁ ମିଳିଛି ସ୍କୁଲ, ସ୍କୁଲ ଆଗରେ ଝୁଲୁଛି ତାଲା। ଶିିକ୍ଷା ଅଧିକାର ଆଇନର ଖୋଲା ଉଲ୍ଲଙ୍ଘନ!

156

କନକ ବ୍ୟୁରୋ: ପିଲାଙ୍କ ଶୈଶବରେ ସୁନେଲି ସ୍ୱପ୍ନ ବୁଣିବା ଆଶା, ବାପା-ମା’ ଏବଂ ଅବିଭାବକଙ୍କୁ ଆଜି ଘରୋଇ ସ୍କୁଲରେ ଆଗରେ ଛିଡ଼ା କରିଦେଇଛି । ଶିକ୍ଷା ଅଧିକାର ହୋଇଛି ସତ, ଆର୍ଥିକ ଅନଗ୍ରସର ପରିବାରର ପିଲାଙ୍କୁ ଘରୋଇ ସ୍କୁଲରେ ପାଠ ପଢ଼ିବାର ସୁଯୋଗ ରହିଛି ସତ । କିନ୍ତୁ ବ୍ୟବସ୍ଥାରେ ଥିବା ଫାଙ୍କ, ଯେମିତି ଅବ୍ୟବସ୍ଥାର ବାଟ ଖୋଲି ଦେଉଛି ।

ସ୍କୁଲରେ ପଡିଛି ତାଲା, କିନ୍ତୁ ଏହି ସ୍କୁଲରେ ପାଠ ପଢିବା ପାଇଁ କହୁଛନ୍ତି ଶିକ୍ଷା ବିଭାଗ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଶିକ୍ଷା ଅଧିକାର ଆଇନ ବା ଆରଟିଆଇ ଅଧିନରେ ଆର୍ଥିକ ଅନଗ୍ରସର ବର୍ଗର ପିଲାମାନେ ବେସରକାରୀ ଶିକ୍ଷାନୁଷ୍ଠାନରେ ମାଗଣାରେ ପାଠ ପଢିପାରିବେ ବୋଲି ବ୍ୟବସ୍ଥା ରହିଛି । ଏହି ନିୟମ ବଳରେ ପାରଦର୍ଶୀ ପୋର୍ଟାଲରେ ଆବେଦନ କରିଥିଲେ ସ୍ନେହାଶ୍ରୀ ମୁଦୁଲୀଙ୍କ ବାପା । ତେବେ ରସୁଲଗଡରେ ଥିବା ଇଷ୍ଟ ପଏଣ୍ଟ ପବ୍ଲିକ ସ୍କୁଲରେ ସ୍ନେହାଶ୍ରୀ ନାଁ ଲେଖାଇପାରିବେ ବୋଲି ପାରଦର୍ଶୀ ପୋର୍ଟାଲରେ ସ୍ପଷ୍ଟ କଲା ଶିକ୍ଷା ବିଭାଗ । କିନ୍ତୁ ବିଡମ୍ବନାର କଥା ପିଲାକୁ ସ୍କୁଲ ନେଲା ବେଳକୁ ସ୍କୁଲରେ ତାଲା ପଡିଥିଲା । ଉପାୟଶୂନ୍ୟ ହୋଇ ଘରକୁ ଫେରିଲେ ଅଭିଭାବକ ।

ଆର୍ଥିକ ଅନଗ୍ରସର ବର୍ଗର ପିଲାମାନେ ଗତ ବର୍ଷ ଏହି ଇଷ୍ଟ ପଏଣ୍ଟ ପବ୍ଲିକ ସ୍କୁଲରେ ପାଠ ପଢୁଥିବାବେଳେ ଏବେ ହଠାତ ସ୍କୁଲ ବନ୍ଦ ହେବା ଅନେକଙ୍କୁ ଚିନ୍ତାରେ ପକାଇଛି । ସ୍କୁଲ ବନ୍ଦ ହେବା ପରେ ଏଥର ବି ପାରଦର୍ଶୀ ପୋର୍ଟାଲରେ ଆବେଦନ କରିଥିଲେ ଅଭିବାବକ । କିନ୍ତୁ ଏପର୍ଯ୍ୟନ୍ତ ସ୍କୁଲ ଆବଣ୍ଟନ ହୋଇନାହିଁ । ଏନେଇ ଶିକ୍ଷା ବିଭାଗ ଆଗରେ ଧାରଣାରେ ବସିଛନ୍ତି ଶହ ଶହ ଅଭିଭାବକ ।

ଶିକ୍ଷା ଅଧିକାର ଆଇନ ବଳରେ ପ୍ରତ୍ୟେକ ବେସରକାରୀ ଶିକ୍ଷାନୁଷ୍ଠାନ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ ସଂରକ୍ଷଣ କରିବେ ବୋଲି ନିୟମ ରହିଛି । କିନ୍ତୁ ଏଥିରେ ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳୁଛି । ଏଥରର ତ ସରକାରୀ ବ୍ୟବସ୍ଥାରେ ଭୁଲ ହୋଇଥିବା ଜଳ ଜଳ ହୋଇ ଦିଶୁଛି । କିନ୍ତୁ ସମସ୍ୟା ଶୁଣିବାକୁ କାହାରି ପାଖରେ ସମୟ ନାହିଁ । ଏନେଇ ଆମେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚାହିଁଥିଲୁ , କିନ୍ତୁ ଯୋଗାଯୋଗ ହୋଇପାରିନାହିଁ ।