ଖରାଛୁଟିରେ ପିଲା କରିବେ ହୋମୱାର୍କ। ସରକାରୀ ସ୍କୁଲ ପିଲାଙ୍କୁ ମିଳିଲା ଡାଏରୀ।

355

କନକ ବ୍ୟୁରୋ: ପୂର୍ବରୁ ଖରାଦିନ ଛୁଟିରେ ପିଲାମାନେ, ଯେମିତି ବୁଲୁଥିଲେ, ଏଣିକି ଆଉ ସେମିତି ବୁଲି ପାରିବେନି । ପିଲାମାନେ ଅବସର ସମୟକୁ କେମିତି ଉପଯୁକ୍ତ ଭାବରେ ବିନିଯୋଗ କରିପାରିବେ, ପାଠ ସହ ଯୋଡି ହୋଇ ରହିବେ, ସେଥିପାଇଁ ସେମାନଙ୍କୁ ହୋମୱାର୍କ ଦିଆଯାଇଛି । ଅଭିଭାବକମାନଙ୍କୁ ଏକ ବୁକଲେଟ୍ ଦିଆଯାଇଛି । ଯେଉଁଥିରେ ରହିଛି, ପିଲାଙ୍କ ଦକ୍ଷତା ଓ କୌଶଳର ଅଭିବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟସୂଚୀ । ନବମ ଶ୍ରେଣୀ ପାଇଁ ଦିଆଯାଇଥିବା ବୁକଲେଟରେ ରହିଛି ବିଭିନ୍ନ ପ୍ରକାରର ଅଭ୍ୟାସ ପ୍ରଶ୍ନ ସାଂଗକୁ ପିଲାମାନେ କଣ ପଢ଼ିବେ, କେମିତି ପଢ଼ିବେ ସେଥିପାଇଁ ପରାମର୍ଶ ।

ପିଲାମାନଙ୍କ ଭିତରେ ସ୍ମାର୍ଟଫୋନ ବ୍ୟବହାର ବଢ଼ି ବଢ଼ି ଚାଲିଥିବାରୁ, ତାକୁ କେମିତି ନିୟନ୍ତ୍ରଣରେ ରଖାଯାଇପାରିବ ସେଥିପାଇଁ ଅଭିଭାବକମାନଙ୍କୁ ସଚେତନ କରାଯାଇଛି । କୁହାଯାଇଛି, ଛୁଟି ସମୟରେ ପିଲାମାନଙ୍କର ମୋବାଇଲ ବ୍ୟବହାର ବଢ଼ିବ । ତେଣୁ ମୋବାଇଲ ଜରିଆରେ ଯେମିତି ସେମାନେ ସାଇବର ଠକାମିର ଶିକାର ନହୁଅନ୍ତି ତା ଉପରେ ନଜର ଦେବେ । ବିଶେଷକରି ପିଲାମାନେ କଉଁ ଆପ୍ ବ୍ୟବହାର କରୁଛନ୍ତି, କଣ ଦେଖୁଛନ୍ତି, କେଉଁ ଅଜଣା ଲୋକଙ୍କ ସହ କଥା ହେଉଛନ୍ତି, ତା ଉପରେ ନଜର ରଖିବାକୁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି ।

ଛୁଟିବେଳେ ପିଲାମାନେ କେମିତି ପଢ଼ୁଛନ୍ତି, କଣ ପଢ଼ୁଛନ୍ତି ତାହା ମନିଟରିଂ କରିବେ ଶିକ୍ଷକ । କୌଣସି ପାଠ ବୁଝିନପାରିଲେ, ଶିକ୍ଷକମାନଙ୍କୁ ଫୋନ କରି ସହାୟତା ନେଇପାରିବେ । ଏପରିକି ଶିକ୍ଷକମାନେ ହ୍ୱାଟ୍ସଆପ୍ ଗ୍ରୁପ ମାଧ୍ୟମରେ ପିଲାମାନଙ୍କୁ ଅବୁଝା ରହିଯାଇଥିବା ପାଠ ବୁଝାଇବେ । ଶିକ୍ଷକମାନେ, ପିଲାମାନଙ୍କୁ ଫୋନ କରି କେତେ ପଢ଼ୁଛନ୍ତି, ତାହା ବୁଝିବେ । ଆବଶ୍ୟକ ପଡିଲେ ଘରକୁ ଯାଇ ବୁଝାଇବେ ।

ଗ୍ରୀଷ୍ମ ଛୁଟି ପରେ ଏବେ ଅଧିକାଂଶ ଘରୋଇ ବିଦ୍ୟାଳୟ ଅନଲାଇନ କ୍ଲାସ ଉପରେ ଗୁରୁତ୍ୱ ଦେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ସରକାରୀ ସ୍କୁଲ ପିଲାମାନେ ବି ଯେମିତି ପଛରେ ପଡି ନଯାନ୍ତି,ସେଥିପାଇଁ ଏହି ଯୋଜନା ଆରମ୍ଭ କରିଛି ଗଣଶିକ୍ଷା ବିଭାଗ ।