ବିନା ପିଲାରେ ରାଜଧାନୀରେ ଚାଲିଥିଲା ସ୍କୁଲ! ୩୫ ଛାତ୍ରଙ୍କୁ ୮ ଶିକ୍ଷକ ଓ ୪ କର୍ମଚାରୀ।

513

କନକ ବ୍ୟୁରୋ: ପିଲା ନଥିଲେ ଚାଲିଥିଲା ସ୍କୁଲ! ୩୫ ଛାତ୍ରଙ୍କୁ ୮ ଶିକ୍ଷକ ଓ ୪ କର୍ମଚାରୀ । ଏହି ଚିତ୍ର ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ରାଜଧାନୀ ଭୁବନେଶ୍ୱରର । ଲୋକସେବା ଭବନ ଠାରୁ ମାତ୍ର କେଇଶହ ମିଟର ଦୂରରେ ରହିଛି । ଯେଉଁଠି ନିଷ୍ପତି ହୋଇଥିଲା ୨୦ରୁ କମ୍ ପିଲା ଥିବା ସ୍କୁଲଗୁଡିକ ଅନ୍ୟ ସ୍କୁଲଗୁଡିକ ସହିତ ମିଶିଯିବ ନଚେତ ବନ୍ଦ ହେବ । ତେବେ ଯେଉଁଠି ନିୟମ କରାଯାଉଛି ସେହିଠାରେ ହିଁ ନିୟମକୁ ଭାଙ୍ଗି ଦିଆଯାଉଛି । ତାର ଉଦାହରଣ ହେଉଛି ୟୁନିଟ-ଟୁ ବାଳକ ଉଚ୍ଚ ବିଦ୍ୟାଳୟ । ଏଠାରେ ଶିକ୍ଷକ ଏବଂ କର୍ମଚାରୀଙ୍କ ସଂଖ୍ୟା ମିଶାଇ ୧୩ଜଣ କିନ୍ତୁ ଛାତ୍ରଙ୍କ ସଂଖ୍ୟା ୩୫ । ସ୍କୁଲ କାଗଜପତ୍ରରେ ୩୫ ଜଣ ଛାତ୍ର ଥିବାବେଳେ ଉପସ୍ଥାନ କିନ୍ତୁ ଭିନ୍ନ । ସ୍କୁଲକୁ ମିଳୁଥିଲା ସମସ୍ତ ସରାକାରୀ ସୁବିଧା ସୁଯୋଗ । ଅନେକ ଦିନ ଧରି ଏହିଭଳି ଚାଲୁଥିବା ସ୍କୁଲର ପର୍ଦ୍ଧାଫାସ ହୋଇଥିଲା ଗଣଶିକ୍ଷା ବିଭାଗ ସଚିବଙ୍କ ଅଚାନକ ସ୍କୁଲ ଗସ୍ତ ସମୟରେ । ସଚିବ ସ୍କୁଲକୁ ଆସିଥିବାବେଳେ ଦେଖିଲେ ମାତ୍ର ଜଣେ ଛାତ୍ରଙ୍କୁ । ସଙ୍ଗେ ସଙ୍ଗେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏନେଇ ରିପୋର୍ଟ ମାଗିଥିଲେ । ଆଉ ରିପୋର୍ଟ ମିଳିବା ପରେ ସ୍କୁଲକୁ ବନ୍ଦ କରିବା ସହ ଶିକ୍ଷକ ଓ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ।

ବିଗତ ବର୍ଷଗୁଡିକରେ ୨୦ରୁ କମ ଛାତ୍ରଛାତ୍ରୀ ଥିବା ୩୦ରୁ୪୦ଟି ସ୍କୁଲକୁ ବନ୍ଦ କରିଛନ୍ତି ସରକାର । ହେଲେ ଡିବି ତଳ ଅନ୍ଧାର ପରି ରାଜଧାନୀରେ ବର୍ଷବର୍ଷ ଧରି କମ୍ ଉପସ୍ଥାନରେ ଚାଲିଥିବା ଏହି ସ୍କୁଲ ଉପରେ କାହାରି ନଜର ନଥିଲା । ସ୍କୁଲ ବନ୍ଦ ହେବାର ନିର୍ଦ୍ଦେଶ ଆସିବା ପରେ ଏବେ ଶିକ୍ଷକ ଏବଂ କର୍ମଚାରୀଙ୍କୁ ରିଲିଭ କରିଛନ୍ତି ୟୁନିଟ-ଟୁ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ । ହେଲେ ତାଙ୍କ ସଂପର୍କରେ କୌଣସି ନିଷ୍ପତି ଆସିନାହିଁ । ଏପଟେ ସ୍କୁଲ ବନ୍ଦ ହେବା ପରେ କିଛି ପିଲାଙ୍କୁ ସରକାରୀ ଆବାସିକ ବିଦ୍ୟାଳୟରେ ଏବଂ ଆଉକିଛି ପିଲାଙ୍କୁ ନିଜ ନିଜ ଜିଲ୍ଲାରେ ପାଠ ପଢାଇବାର ବନ୍ଦୋବସ୍ତ କରିଛନ୍ତି ସରକାର ।

୧୯୬୯ ମସିହାରେ ତିଆରି ହୋଇଥିଲା ଏହି ୟୁନିଟ-ଟୁ ବାଳକ ଉଚ୍ଚ ବିଦ୍ୟାଳୟ । ବିଗତ ୫୪ ବର୍ଷ ଧରି ଅନେକ ଛାତ୍ରଙ୍କୁ ପାଠ ପଢାଇ ସମାଜରେ ପ୍ରତିଷ୍ଠିତ କରାଇଛି ଏହି ଅନୁଷ୍ଠାନ । ତେବେ ରାଜଧାନୀରେ ଇଂରାଜୀ ମିଡିୟମ ସ୍କୁଲର ଗୁରୁତ୍ୱ କାରଣରୁ ଓଡିଆ ମିଡିୟମ ସ୍କୁଲଗୁଡିକ ନିଜର ଅସ୍ତିତ୍ୱ ହରାଇଲେଣି । ଉଚିତ ସମୟରେ ପଦକ୍ଷେପ ନିଆ ନଗଲେ ସରକାରଙ୍କୁ ଅଧିକାଂଶ ସ୍କୁଲକୁ ବନ୍ଦ କରବାକୁ ପଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।