ମଣିଷ ମାରୁଛି ‘ମୋ ବସ୍’, ପୁଣି ଗଲା ସପ୍ତମ ଶ୍ରେଣୀ ଛାତ୍ରଙ୍କ ଜୀବନ।

2,206

କନକ ବ୍ୟୁରୋ: ପୁଅକୁ ହରାଇବାର ଦୁଃଖ ହୁଏ ତ ବାପା ମାଆଙ୍କ ଠାରୁ ଆଉ କିଏ ଜାଣିବ । ଭୁବନେଶ୍ୱରରେ ଗୁରୁବାରଦିନ ମୋ ବସ ଧକ୍କାରେ ପ୍ରାଣ ହରାଇଥିବା ସପ୍ତମଶ୍ରେଣୀର ଛାତ୍ର ସନ୍ଦୀପ ନାୟକଙ୍କ ମୃତ୍ୟୁରେ ପରିବାର ଲୋକ ଭାଙ୍ଗିପଡିଛନ୍ତି । ସତେ ଯେମିତି ସେମାନଙ୍କ ଗୋଡ ତଳୁ ମାଟି ଖସିଯାଇଛି । ସବୁଦିନ ଭଳି ସକାଳ ୮ଟାରେ ଟ୍ୟୁସନ ସାରି ଘରକୁ ଫେରୁଥିଲେ ସନ୍ଦୀପ । ସନ୍ଦୀପକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଆଖିଏ ସ୍ୱପ୍ନ ଥିଲା । ଏବେ ଅକାଳରେ ସନ୍ଦୀପ ଚାଲିଯିବାପରେ ବାପା କୋହ ସମ୍ଭାଳିପାରୁନାହାନ୍ତି କି ମାଆଙ୍କ ଆଖିରୁ ଲୁହ ଶୁଖୁନାହିଁ ।

ବେପରୁଆ ଗାଡିଚାଳନା ଯୋଗୁଁ ପ୍ରତିଦିନ ଭୁବନେଶ୍ୱରରେ କିଛି ନା କିଛି ଦୁର୍ଘଟଣା ଘଟୁଛି । ଆଉ ଏବେ ସେହି କାରଣ ଯୋଗୁଁ ଜଣେ ନାବାଳକର ଜୀବନ ଯାଇଛି । ପରିବାର ଲୋକେ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି । ସନ୍ଦୀପ ନାୟକ ୟୁନିଟ-୮ ବାଳକ ବିଦ୍ୟାଳୟରେ ପଢୁଥିଲେ । ସେ ଭଲ ପାଠ ପଢିବା ସହ ଶାନ୍ତ ସ୍ୱଭାବର ଥିଲେ । ଏବେ କିନ୍ତୁ ସନ୍ଦୀପର ଆକସ୍ମିକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସାଙ୍ଗମାନେ ।

ରାଜଧାନୀରେ ମୋ ବସ ବିରୁଦ୍ଧରେ ବଢୁଛି ଅଭିଯୋଗର ଫର୍ଦ୍ଦ । ସୂଚନା ଅନୁସାରେ, ଜାନୁଆରୀରୁ ବର୍ତମାନ ସୁଦ୍ଧା ସହର ଭିତରେ ମୋ ବସ ୬ଜଣଙ୍କୁ ମାରିସାରିଛି । କୁହାଯାଉଛି, ବେପରୁଆ ଭାବରେ ଦ୍ରୁତ ଗତିରେ ଗାଡିଚାଳନା ଯୋଗୁଁ ବଢୁଛି ଦୁର୍ଘଟଣା । ବର୍ତ୍ତମାନ ଘଟଣାରେ ଏକ ମାମଲା ରୁଜୁ କରି ପୁଲିସ କାମ ସାରିଦେଇଛି । ସହର ଭିଡରେ ମୋ ବସ ୨୦ରୁ ୩୦ ସ୍ପିଡରେ ଗାଡି ଚଳାଇଭାର ବ୍ୟବସ୍ଥା ରହିଛି । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଡ୍ରାଇଭରମାନେ ଏହାକୁ ମାନୁନାହାନ୍ତି । ପ୍ରଶ୍ନ ଉଠୁଛି
-ସନ୍ଦୀପର ମୃତ୍ୟୁ ପାଇଁ ଦାୟୀ କିଏ ?
-ଦୁର୍ଘଟଣାରେ କାହାର ଭୁଲ ଥିଲା?
-ଗାଡି ଚଳାଇବା ସମୟରେ ବସ ସ୍ପିଡ କେତେ ଥିଲା?
-ସରକାରୀ ସେବା ବୋଲି କୋହଳ ହେଉଛି କି କାର୍ଯ୍ୟାନୁଷ୍ଠାନ ?
-ଆଉ କେତେ ମୁଣ୍ଡ ଗଡିଲେ ପରିବହନ ବିଭାଗ ଚେତିବ?