ମନ୍ତ୍ରୀଙ୍କୁ ଜେଲରେ ମାଲିସ, ପ୍ରଶ୍ନ ଘେରରେ ତିହାଡ଼ ଜେଲ

55

କନକ ବ୍ୟୁରୋ : ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ଏବେ ଯେଉଁ ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିଛି ତାକୁ ମନରେ ଅନେକ ପ୍ରଶ୍ନ ଉଠିପାରେ । ମନି ଲଡ୍ରିଂ ମାମଲାରେ ମନ୍ତ୍ରୀ ଏବେ ତିହାଡ ଜେଲରେ ରହିଛନ୍ତି ଆଉ ଏହା ଭିତରେ ମନ୍ତ୍ରୀଙ୍କୁ କେମିତି ଏଭଳି ସେବା ଓ ସୁବିଧା ଦିଆଯାଇଛି ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।

• କଏଦୀ ଭାବେ ଥିବା ମନ୍ତ୍ରୀଙ୍କୁ ଏଭଳି ସୁବିଧା କେମିତି ମିଳୁଥିଲା?
• ସେଲ ଭିତରେ ଟିଭି, ମୋବାଇଲ, ମିନେରାଲ ପାଣି, ମାଲିସ ଓ ଅନ୍ୟାନ୍ୟ ସୁବିଧା କିଭଳି ମିଳୁଥିଲା?
• ଅନ୍ୟ କଏଦୀଙ୍କ ସହ କିଭଳି ଓ କାହିଁକି ଗୋଟେ ସେଲରେ ଘଣ୍ଟା ଘଣ୍ଟା ଧରି ଗପୁଥିଲେ ମନ୍ତ୍ରୀ?
• ଜେଲର ଅଧିକାରୀ ଏ ବିଷୟରେ ଅବଗତ ଥିଲେ ନା ନାହିଁ?
• ଯଦି ଥିଲେ ତେବେ କଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ?
• ଯଦି ଅଜଣା ଥିଲେ ତେବେ ଦାୟିତ୍ୱରେ ହେଳା କରିଥିଲେ କି ଜେଲ ଅଧିକାରୀ?

ବେଆଇନ ଭାବେ ତିନି କମ୍ପାନିକୁ ଅନୁକମ୍ପା ଦେଖାଇ ଲାଞ୍ଚ ନେବା ଅଭିଯୋଗରେ ଇଡି ତାଙ୍କୁ ଗିରଫ କରିଥିଲା । ସେ ଏବେ ତିହାର ଜେଲରେ ଅଛନ୍ତି । ଜେଲ ଭିତରେ ଜଣେ ବ୍ୟକ୍ତି ତାଙ୍କ ଗୋଡ ଏବଂ ମୁଣ୍ଡକୁ ମସାଜ କରୁଥିବା ଦେଖିବାକୁ ମିଳିଛି । ଜେଲରେ ଏହି ଆପ୍ ନେତାଙ୍କୁ ଭିଆଇପି ସୁବିଧା ମିଳୁଥିବା ନେଇ ବୁଧବାର ପ୍ରବର୍ତନ ନିର୍ଦ୍ଦେଶାଳୟ ଇଡି କୋର୍ଟରେ ଅଭିଯୋଗ କରିଥିଲା । ଆଉ ଏହାର ଦିନକ ପରେ ଆପର ଏହି ନେତାଙ୍କ ଭିଡିଓ ଭାଇରାଲ ହେଉଛି । କରୋନା ଭାଇରସ ପାଇଁ କଫ୍ୟୁ ଲାଗୁ ହୋଇଥିବା ବେଳେ ମନ୍ତ୍ରୀଙ୍କୁ ସ୍ପେଶାଲ ଖାଇବା ଦିଆଯାଉଥିଲା ବୋଲି ଇଡି କହିଛି । ଭିଡିଓ ସାମ୍ନାକୁ ଆସିବା ପରେ ଆମ ଆଦମୀ ପାର୍ଟି ଉପରେ ଜୋରଦାର ବର୍ଷିଛି ବିଜେପି । ଦଳ କହିଛି ଜଣେ ଅଭିଯୁୁକ୍ତି ତିହାଡରେ ଜେଲରେ ଏଭଳି ସେବା ଓ ସୁବିଧା କେମିତି ମିଳୁଛି ।

ସେପଟେ ସାମ୍ବାଦିକ ସମ୍ମିଳନୀରେ ଜୈନଙ୍କ ଡାକ୍ତରୀ ଚିକିତ୍ସାର ରିପୋର୍ଟ ମଧ୍ୟ ଉପସ୍ଥାପନ କରିଛି ଆମ ଆଦମୀ ପାର୍ଟି । ଆପ୍ କହିଛି ମନ୍ତ୍ରୀ ଜୈନ ଅସୁସ୍ଥ ଅଛନ୍ତି । ତେଣୁ ଜେଲ ଭିତରେ ତାଙ୍କୁ କୌଣସି ଭିଭିଆଇପି ଟ୍ରିଟମେଂଟ ନୁହେଁ ବଂର ସ୍ୱତନ୍ତ୍ର ଚିକିତ୍ସା କରାଯାଉଛି । ସେପଟେ ଘଟଣାକୁ ନେଇ କଂଗ୍ରେସ ମଧ୍ୟ ଆମ ଆଦମୀ ପାର୍ଟିକୁ ପ୍ରଶ୍ନ କରିବା ସହ ବିଜେପିକୁ ଟାର୍ଗେଟ କରିଛି ।

ଦିଲ୍ଲୀ ମଣ୍ଡୋଲୀ ଜେଲରେ ବନ୍ଦୀ ଥିବା ମହାଠକ ତଥା ୨୦୦କୋଟି ଟଙ୍କା ଠକେଇ ମାମଲାରେ ଗିରଫ ସୁକେଶ ଚନ୍ଦ୍ର ଶେଖର କିଛି ଦିନ ପୂର୍ବରୁ ସତ୍ୟେନ୍ଦ୍ର ଜୈନଙ୍କ ନାଁରେ କିଛି ସଂଗୀନ ଅଭିଯୋଗ ଆଣିଥିଲ । ସୁୁକେଶ ଆଣିଥିବା ଅଭିଯୋଗ ଓ ସାମ୍ନାକୁ ଆସିଥିବା ମନ୍ତ୍ରୀଙ୍କ ଭିଡିଓରେ ବେଶ ସାମଞ୍ଜସ୍ୟ ରହିଛି । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାଁରେ ବଡ ବଡ ଅଭିଯୋଗ ଆଣି ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଚିଠି ଲେଖି ଜଣାଇଥିଲା । ପ୍ରଥମେ ଅଭିଯୋଗ ଆଉ ଏବେ ମିଳିଛି ପ୍ରମାଣ । ଏହା ଭିତରେ ଆଗକୁ ସତ୍ୟେନ୍ଦ୍ର ଜୈନଙ୍କ ସମସ୍ୟା ବୃଦ୍ଧି ହେବା ସମ୍ଭାବନା ରହିଛି ।