ପଦ୍ମପୁର ପାଇଁ ବିଜେଡି ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡ଼ିଲେ ଧାମନଗରରେ ଫେଲ ନେତା। କୃଷିମନ୍ତ୍ରୀ ତୋମାରଙ୍କୁ ଆଣିବାକୁ ବିଜେପିର ଯୋଜନା।

206

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିପାରନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଏଥର ନିର୍ବାଚନରେ ଚାଷୀ ପ୍ରସଙ୍ଗ ପ୍ରମୁଖ ମୁଦ୍ଦା ପାଲଟିଥିବା ବେଳେ, କେନ୍ଦ୍ରମନ୍ତ୍ରୀଙ୍କୁ ଆଣିବା ପାଇଁ ପ୍ରୟାସ କରୁଛି ରାଜ୍ୟ ବିଜେପି । ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଦିଆଯାଇଥିବା ଷ୍ଟାର ପ୍ରଚାରକ ତାଲିକାରେ ନାହିଁ ନରେନ୍ଦ୍ର ସିଂ ତୋମାରଙ୍କ ନାଁ । ତଥାପି କେନ୍ଦ୍ର କୃଷିମନ୍ତ୍ରୀ ପଦ୍ମପୁର ଆସିବା ଯୋଜନା ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ନେତା । ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ନରେନ୍ଦ୍ର ସିଂ ତୋମାରଙ୍କୁ ଟାର୍ଗେଟ କରିଆସୁଛି ବିଜେଡି । ଆଉ ଏବେ ତାଙ୍କ ପଦ୍ମପୁର ପ୍ରଚାର ଖବର ଶୁଣି ଶାସକ ଦଳ ଶିବିରରେ କମ୍ପନ ସୃଷ୍ଟି ହୋଇଛି ।

ବିଜେପି ତାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ଏଥିରେ ରହିଛି ୪ କେନ୍ଦ୍ରମନ୍ତ୍ରୀଙ୍କ ନାଁ । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ, ଓ ଅର୍ଜ୍ଜୁନ ମୁଣ୍ଡା ପଦ୍ମପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ନାଁ ମଧ୍ୟ ଷ୍ଟାର କ୍ୟାମ୍ପେନରଙ୍କ ତାଲିକାରେ ରହିଛି । ଧାମନନଗର ବିଜୟର ହିରୋ ସୂରଜ ସୂର୍ଯ୍ୟବଂଶୀଙ୍କୁ ଦଳ ପଦ୍ମପୁର ପ୍ରଚାରରେ ପ୍ରମୁଖ ଚେହେରା ଭାବେ ରଖିବାକୁ ରଣନୀତି କରିଛି ବିଜେପି ।

ଧାମନଗର ଉପନିର୍ବାଚନ ହାରିବା ପରେ ତ୍ରୁଟି ସୁଧାରି ଦଳ ପୁରୁଣା ନେତାଙ୍କୁ ପୁଣି ପ୍ରଚାର ଦାୟିତ୍ୱ ଦେଇଛି । ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୦ଜଣଙ୍କ ମନ୍ତ୍ରୀ ରହିଛନ୍ତି । ଏପରିକି ବିବାଦୀୟ ଥିବା ସମୀର ଦାସ ଓ କ୍ୟାପଟେନ ଦିବ୍ୟଶଙ୍କରଙ୍କୁ ମଧ୍ୟ ଦଳ ପ୍ରଚାର ତାଲିକାରେ ସାମିଲ କରିଛି । କିନ୍ତୁ ବିଜେଡିର ୩ ହେଭିୱେଟ- ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରଣବ ବଳବନ୍ତରାୟ ଓ ଯୁବ ସଭାପତି ବ୍ୟୋମକେଶ ରାୟଙ୍କୁ ବାଦ ଦିଆଯାଇଛି । କୁହାଯାଉଛି ଧାମନଗରରେ ଫେଲ ମିରିଥିବା ଏହି ନେତାଙ୍କ ଉପରେ ଆଉ ଭରସା କରିନାହିଁ ଦଳ ।

୪୦ ଜଣିଆ ବିଜେଡି ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ଅଭିନେତା ଅରିନ୍ଦମ , ଆକାଶ ଦାସ ନାୟକ ଓ କୁନା ତ୍ରିପାଠୀ । ପଦ୍ମପୁରରେ ଦଳ ମହିଳା ପ୍ରାର୍ଥୀ କରିଥିବା ବେଳେ ୬ ଜଣ ମହିଳା ନେତ୍ରୀଙ୍କୁ ମଧ୍ୟ ପ୍ରଚାର ଦାୟିତ୍ୱ ଦେଇଛି । କଂଗ୍ରେସ ମଧ୍ୟ ଷ୍ଟାର ପ୍ରଚାରକ ତାଲିକା ଜାରି କରି ପଦ୍ମପୁର ଲଢେଇ ପାଇଁ ପ୍ରସ୍ତୁତିକୁ ଗତି ଦେଇଛି । ହେଲେ ରାଷ୍ଟ୍ରପତି ନିର୍ବାଚନ ପରଠାରୁ ଦଳୀୟ କାର୍ଯ୍ୟକ୍ରମରୁ ଦୁରେଇ ରହୁଥିବା ମହମ୍ମଦ ମୋକିମଙ୍କୁ ପଦ୍ମପୁର ପ୍ରଚାରରୁ ଦୂରେଇ ରଖିବାକୁ ନିଷ୍ପତି କରିଛି କଂଗ୍ରେସ ।