୪୨୫ ଜଣଙ୍କୁ ୭ ଜଣ ଶିକ୍ଷକ, କେମିତି ପଢିବୁ ପାଠ ? ଉପଜିଲ୍ଲାପାଳ, ଶିକ୍ଷାଧିକାରୀଙ୍କୁ ଦୃଷ୍ଟିହୀନ ଛାତ୍ରଙ୍କ ପ୍ରଶ୍ନବାଣ

258

କନକ ବ୍ୟୁରୋ : ମୁଁ ଦେଖିପାରୁନି ବୋଲି … ସରକାର ବି ଅନ୍ଧ କି ? ୪୨୫ ଜଣଙ୍କୁ ୭ ଜଣ ଶିକ୍ଷକ, କେମିତି ପଢିବୁ ପାଠ ? ୧୩ ରୁ ୧୪ ଦିନ ବିତି ଯାଇଥିଲେ ବି ପ୍ରଶାସନ ଏହି ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିପାରିଲେ ନାହିଁ । ଏହି ବିଦ୍ୟାଳୟରେ ବହୁ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ମଧ୍ୟ ଆବଶ୍ୟକତା ଅନୁସାରେ ଏଠାରେ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇନାହାନ୍ତି । ଦିବ୍ୟାଙ୍ଗ ଛାତ୍ରଙ୍କ ଏଭଳି ପ୍ରଶ୍ନରେ ଘାଇଲା ହେଲେ ପ୍ରଶାସନିକ ଅଧିକାରୀ ।

ସୂଚନାନୁସାରେ, ଏଭଳି ଖବର ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକରୁ । ବେହେରାଗୁଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଗ୍ରାମବାସୀ ଓ ଅଭିଭାବକ ଗତ ୧୧ ଦିନ ହେଲା ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ ଚଲାଇଥିଲେ । ଏହି କାରଣରୁ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ରହିଥିଲେ । ସୋମବାର ଧର୍ମଗଡ଼ ବ୍ଲକ ଭାରପ୍ରାପ୍ତ ଶିକ୍ଷାଧିକାରୀ ନବ କିଶୋର ସାହୁ, ଧର୍ମଗଡ଼ ଉପଖଣ୍ଡ ପୁଲିସ୍‌ ଅଧିକାରୀ ଧୀରଜ ଚୋପଦାର ଓ କୋକସରା ଥାନା ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଆଉ ଯେଉଁଠି ତାଙ୍କୁ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ଦୃଷ୍ଟିବାଧିତ ଛାତ୍ର ଯଶୋବନ୍ତ ଛତ୍ରିଆଙ୍କର ପ୍ରଶ୍ନର ସାମ୍ନା କରିବାକୁ ପଡିଥିଲା । କିଛିଟା ପ୍ରଶ୍ନର ଉତ୍ତର ଅଧିକାରୀମାନେ ଦେଇଥିବା ବେଳେ ଆଉ କିଛି ପ୍ରଶ୍ନରେ ନିରୁତ୍ତର ରହିଥିଲେ। ଏହି ଭିଡିଓ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି ।

ଏପରି ୩୦ ଛାତ୍ରଛାତ୍ରୀଙ୍କ ଲାଗି ସରକାର ଜଣେ ଶିକ୍ଷକ ନିଯୁକ୍ତି ଦେବା ନିୟମ କରିଛନ୍ତି । ମାତ୍ର ୭ ଜଣ ଶିକ୍ଷକ କେମିତି ୪୨୫ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବେ ବୋଲି  ମଧ୍ୟ ଯଶୋବନ୍ତ ପ୍ରଶ୍ନ କରିଥିଲେ । ପ୍ରଶାସନିକ ଅଧିକାରୀମାନେ ଅନ୍ଧ ହୋଇଥିବାରୁ ସବୁ ଅବ୍ୟବସ୍ଥା ହେଉଛି ବୋଲି କହିଥିବା ଏହି ଭିଡିଓଟି ବର୍ତ୍ତମାନ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।