ସୋସିଆଲ ମିଡିଆରେ ଚହଳ ପକାଇଛି ‘ଝୁଲରେ ନିତାଇ ଝୁଲ’ ଗୀତ । ୨୦ଦିନରେ ଦେଖିଲେଣି ୧ ମିଲିୟନରୁ ଅଧିକ ଲୋକ

553

କନକ ବ୍ୟୁରୋ : ସୋସିଆଲ ମିଡ଼ିଆରେ ଚହଳ ପକାଇଛି ‘ଝୁଲରେ ନିତାଇ ଝୁଲ’ । ଏହି ଗୀତ ଏବେ ସୋସିଆଲ ମିଡ଼ିଆରେ ସେନସେସନ୍ ପାଲଟିଛି । ମାତ୍ର ୧୫ରୁ ୨୦ ଦିନ ଭିତରେ ଏହି ଗୀତଟିକୁ ୧ ମିଲିୟନ ଦର୍ଶକ ଦେଖିସାରିଲେଣି । ଆଉ ହଜାର ହଜାର ଲୋକ ଏହାକୁ ଶେୟାର କଲେଣି । ଗୀତଟିକୁ ମଞ୍ଚରେ ଗାଇବା ସହ ନିଖୁଣ ଅଭିନୟ କରିଛନ୍ତି ନୟାଗଡ଼ ଭାଟସାହିର ପପୁ ବିଶ୍ୱାଳ । ବର୍ତ୍ତମାନ ସେ ଲଡ଼ୁବାବା କଳା ସଂସଦରେ କାମ କରୁଛନ୍ତି । ତାଙ୍କୁ ନାରଦ ଭୂମିକାରେ ଦେଖିବାକୁ ପାଇଥାଆନ୍ତି ଦର୍ଶକ । ମାଟ୍ରିକ ପରୀକ୍ଷା ପରେ ସେ ଅଭିନୟ ପ୍ରତି ବେଶି ଆକର୍ଷିତ ହୋଇଥିଲେ । କାରଣ ତାଙ୍କ ପରିବାର ୩ପୁରୁଷ ଧରି ଅଭିନୟ କରିଆସୁଛନ୍ତି ।

ଫଳରେ ସେ କଳାକୁ ଆଦରି ନେଇଛନ୍ତି । ମାଟ୍ରିକ୍ ପାଠ ଶେଷ କରିବା ପରେ ଅର୍ଥ ଅଭାବରୁ ଆଉ ପାଠ ପଢିପାରନଥିଲେ ପପୁ । ପରିବାରର ଅର୍ଥିକ ସ୍ଥିତି ସୁଧାରିବା ପାଇଁ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ଦୀର୍ଘ ୧୦ ବର୍ଷ ହେଲା ସେ ବିଭିନ୍ନ ପାର୍ଟିରେ କାମ କରି ଆସୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପାର୍ଟି ପକ୍ଷରୁ ହେଉଥିବା ନାଟକରେ ପପୁ ଯୋଗଦେଇ ନିଜର କଳା ପରିବେଶଣ କରନ୍ତି । ଅଭିନୟ ଓ ଗୀତ ଗାଇବା ସହିତ ପପୁଙ୍କ ଆକର୍ଷଣୀୟ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥାଏ । ସୋସିଆଲ ମିଡ଼ିଆରେ ଏବେ ପପୁଙ୍କ ଅଭିନୀତ ଗୀତ ଝୁଲରେ ନିତାଇ ଝୁଲ ଖୁବ୍ ଲୋକପ୍ରିୟ ହୋଇପାରିଛି ।