ଫାର୍ମା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ୫ ମୃତ, ୬ରୁ ଅଧିକ ଆହତ

1,440

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ଆନାକାପଲ୍ଲୀ ଅଞ୍ଚଳରେ ଥିବା ଏକ ଫାର୍ମା ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ୧୫ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଅଧିକାଂଶ କର୍ମଚାରୀ ସୁରକ୍ଷିତଭାବେ ଉଦ୍ଧାର ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀମାନେ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଅଚ୍ୟୁତାପୁର ଇଣ୍ଡଷ୍ଟ୍ରିଆଲ ସ୍ପେଶାଲ ଇକୋନୋମିକ ଜୋନରେ ଅବସ୍ଥିତ ସାହିଥୀ ଫାର୍ମାରେ ଅଗ୍ନିକାଣ୍ଡ ଘଟିଛି । ରିଆକ୍ଟରରେ ବିସ୍ଫୋରଣ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

କମ୍ପାନୀର ଜଣେ କର୍ମଚାରୀ କହିଛନ୍ତି କି ରିଆକ୍ଟରରେ ବିସ୍ଫୋରଣ କାରଣରୁ ପ୍ରଥମେ ଏକ ଭୟଙ୍କର ଶବ୍ଦ ହୋଇଥିଲା ଓ ଏହାପରେ ବିସ୍ଫୋରଣର ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା କି, ୫ କିଲୋମିଟର ଦୂରରୁ ମଧ୍ୟ ଜଣାପଡ଼ୁଥିଲା । ଓ କାରଖାନା ଅଞ୍ଚଳର ସମ୍ପୂର୍ଣ୍ଣ ଆକାଶ ଧୂଆଁମୟ ହୋଇଯାଇଥିଲା । ଫଳରେ କର୍ମଚାରୀମାନେ କମ୍ପାନୀ ମଧ୍ୟରୁ ବାହାରିବା କଷ୍ଟସାଧ୍ୟ ହୋଇପଡ଼ିଥିଲା । ତେବେ ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଛି । ଘଟଣାଟି କିପରି ଘଟିଲା ଏବଂ ପରିଚାଳନା ସଂସ୍ଥା ପକ୍ଷରୁ କୌଣସି ଅବହେଳା କରାଯାଇଛି କି ନାହିଁ ତାହା ଯାଞ୍ଚ କରାଯାଉଛି । ଦୁର୍ଘଟଣା ସମ୍ପର୍କରେ ଅଗ୍ନିଶମ କର୍ମଚାରୀଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଉଛି ।