ହାଇକୋର୍ଟକୁ ଗଲା ରତ୍ନଭଣ୍ଡାର ପ୍ରସଙ୍ଗ । ରତ୍ନଭଣ୍ଡାର ଖୋଲି ସବିଶେଷ ତାଲିକା ପ୍ରସ୍ତୁତ ପାଇଁ ଆବେଦନ କଲେ ବିଜେପି ନେତା ସମୀର ମହାନ୍ତି

231

କନକ ବ୍ୟୁରୋ : ରତ୍ନଭଣ୍ଡାର ଖୋଲିବା ପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପରାମର୍ଶ ଓ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ଦାବି ପରେ, ଏହାକୁ ଆଉ ପାଦେ ଆଗେଇ ନେଇଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି । ସେ କହିଛନ୍ତି କି ରତ୍ନଭଣ୍ଡାର ଖୋଲି ଏହାର ସବିଶେଷ ତାଲିକା ପ୍ରସ୍ତୁତ କରାଯାଉ । ପୂର୍ବତନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଢାଞ୍ଚାରେ କମିଟି ଗଠନ କରାଯାଉ । କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଯୁଗ୍ମ କମିଟି ଗଠନ କରି ରତ୍ନ ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯାଉ । ବିପଦରେ ଥିବା ଅଂଶର ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଉ । ରତ୍ନଭଣ୍ଡାର ଚାବି ହଜାଇଥିବା ଦାୟୀ ଅଧିକାରୀଙ୍କ ବିରୋଧରେ ଫୌଜଦାରି ମାମଲା ଦାୟର କରି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ।

ରତ୍ନଭଣ୍ଡାର ମରାମତି ନକରି ଏହାକୁ ବିପଦରେ ପକାଇଥିବା ଅଧିକାରୀଙ୍କ ବିରୋଧରେ ସିବିଆଇ ଦ୍ୱାରା ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ଅପିଲ୍ କରିଛନ୍ତି ସମୀର ମହାନ୍ତି  । ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବ, ପୁରୀ ଗଜପତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏଏସଆଇ ଓ ସିବିଆଇ ନିର୍ଦ୍ଦେଶକଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି । ଏପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ରତ୍ନଭଣ୍ଡାର ଖୋଲିବାକୁ ସରକାର କାହିଁକି ଡରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ପୂର୍ବରୁ ଗଜପତି ମହାରାଜ ଦିବ୍ୟସିଂହଦେବ ମଧ୍ୟ ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ମତ ଦେଇଥିଲେ । ସେହିପରି ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ସେ କହିଛନ୍ତି, ଭଣ୍ଡାରରେ ଶଗଡ଼ ଶଗଡ଼ ସୁନା ରହିଥିବା ବେଳେ ଜଗନ୍ନାଥ ବାରମ୍ବାର ପୁରୁଣା ସୁନା ପିନ୍ଧୁଛନ୍ତି ।

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉପରେ ହାଇକୋର୍ଟ କି ନିଷ୍ପତି ନେବେ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।