କଟକ ବଡ ମେଡିକାଲରେ ବିରଳ ଅସ୍ତ୍ରୋପଚାର। ୬ ଘଣ୍ଟାର ଅପରେସନରେ ଯୋଡିହେଲା କଟା ହାତ

2,339

କନକ ବ୍ୟୁରୋ: ଯୋଡି ହେଲା କଟା ହାତ । ୬ ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ କଟା ହାତ ଯୋଡା ହୋଇପାରିଛି । କଟକ ବଡ ମେଡିକାଲର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ୧୦ ଜଣିଆ ଡାକ୍ତରୀ ଟିମ୍ ପରିଶ୍ରମ ଫଳରେ ଯୁବକଙ୍କ ହାତ ଯୋଡି ହୋଇଛି । ବାଲେଶ୍ୱର କୁଟାପାଳ ଗାଁର ୨୩ ବର୍ଷୀୟ ଯୁବକ ପ୍ରକାଶ ଦାସ ରଥଯାତ୍ରା ଦେଖିବାକୁ ଆସୁଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଏପରିକି ତାଙ୍କର ଗୋଟିଏ ହାତ ହାଣି ଦେଇଥିଲେ ଦୁର୍ବୃତ୍ତମାନେ । ଏପଟେ ପରିବାର ଲୋକେ କଟାହାତ ନେଇ ବାଲେଶ୍ୱରରୁ କଟକ ବଡମେଡିକାଲ ପହଞ୍ଚିଯାଇଥିଲେ । ଆଉ ସେଠାରେ ଡାକ୍ତରୀ ଟିମ ତୁରନ୍ତ ପ୍ରକାଶଙ୍କ ଅସ୍ତ୍ରୋପଚାର ଆରମ୍ଭ କରିଦେଇଥିଲେ । ରାତି ପ୍ରାୟ ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ଜଟିଳ ଅସ୍ତ୍ରୋପଚାର । ୧୦ ଜଣିଆ ଡାକ୍ତରୀ ଟିମ୍ ହାଡକୁ ଯୋଡିବା ପାଇର୍ ଏହି ସୂକ୍ଷ୍ମ ଅସ୍ତ୍ରୋପଚାର କରିଥିଲେ । ପାଖାପାଖି ୬ଘଣ୍ଟାର ସଫଳ ଅସ୍ତ୍ରୋପଚାର ଫଳରେ ପ୍ରକାଶଙ୍କ କଟା ହାତ ଯୋଡି ହୋଇଥିଲା ।

ଏବେ ପ୍ରକାଶ ୩ରୁ ୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଯିବ ବୋଲି କହିଛନ୍ତି ପ୍ଲାଷ୍ଟିକ ବିଭାଗ ମୁଖ୍ୟ ଡାକ୍ତର । ସେପଟେ ହାତ ହରାଇ ଆଶା ଛାଡିଦେଇଥିବା ଯୁବକ ସଫଳ ଅସ୍ତ୍ରୋପଚାର ଫଳରେ ଏବେ ଖୁସି ଜାହିର କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।