ସର୍ବୋଚ୍ଚ ନ୍ୟାୟଳୟରୁ ନିରାଶ ହେଲେ କୁସ୍ତିଯୋଦ୍ଧା । ମାମଲାକୁ ବନ୍ଦ କଲେ ସୁପ୍ରିମକୋର୍ଟ

391

କନକ ବ୍ୟୁରୋ : ଭାରତୀୟ କୁସ୍ତିସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ମାନଙ୍କୁ ନିରାଶ କରିଛନ୍ତି ସୁପ୍ରିମକୋର୍ଟ । ଆଜି ମାମଲା ଶୁଣାଣି କରି କୋର୍ଟ ଏହି ମାମଲାର ବିଚାର ପାଇଁ ତଳ କୋର୍ଟ କିମ୍ବା ହାଇକୋର୍ଟକୁ ଯିବାକୁ ଆବେଦନକାରୀଙ୍କୁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ଦିଲ୍ଲୀ ପୋଲିସକୁ କଟାକ୍ଷ କରି କୋର୍ଟ କହିଛନ୍ତି କି, ଏପର୍ଯ୍ୟନ୍ତ କାହିଁକି ସମସ୍ତ ପୀଡିତାଙ୍କ ବୟାନ ରେକର୍ଡ କରାଯାଇ ନାହିଁ । ଏହାସହ କୋର୍ଟ ଦିଲ୍ଲୀ ପୋଲିସକୁ ପ୍ରଶ୍ନ କରିଛନ୍ତି କି, କେବେ ଏମାନଙ୍କ ବୟାନ ମାଜିଷ୍ଟେଟଙ୍କ ସାମନାରେ ରେକର୍ଡ କରାଯିବ ?

ଅଭିଯୋଗକାରୀମାନେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଦିଲ୍ଲୀ ପୋଲିସ ଠିକ୍ ଭାବେ ମାମଲାର ଯାଂଚ କରୁନାହିଁ । କୁସ୍ତିଯୋଦ୍ଧାଙ୍କ ତରଫରୁ ମାମଲା ଲଢୁଥିବା ଓକିଲ କହିଛନ୍ତି କି ଏପ୍ରିଲ ୨୧ ତାରିଖରେ କୁସ୍ତିଯୋଦ୍ଧାମାନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗର କପି ଦେବା ପାଇଁ ପୋଲିସ ଅଭିଯୋଗକାରୀମାନଙ୍କୁ ଥାନାରେ ୨ଘଂଟା ଧରି ଅପେକ୍ଷା କରାଇଥିଲେ ।

ସୂଚନା ଥାଉକି, କିଛି ମହିଳା କୁସ୍ତିଖେଳାଳିଙ୍କ ସହ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂ ଯୌନ ଉତ୍ପୀଡନ କରିଥିବା ଅଭିଯୋଗ ନେଇ ଦିଲ୍ଲୀର ଜନ୍ତର-ମନ୍ତର ଠାରେ ଧାରଣା ଦେଇଛନ୍ତି । ଏନେଇ ସେମାନେ ପ୍ରଥମେ ପୋଲିସରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ମାମଲା ରୁଜୁ ନକରିବାରୁ ସେମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ମାମଲା ରୁଜୁ କରିଛି । ହେଲେ ଏପର୍ଯ୍ୟନ୍ତ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।