ଆମ୍ରି ହସ୍ପିଟାଲ ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ପାଳିତ

122

କନକ ବ୍ୟୁରୋ: ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲ ଠାରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଇଛି । ଏହି ଅବସରରେ ରକ୍ତଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆମ୍ରି ହସ୍ପିଟାଲର ଡାକ୍ତର, ନର୍ସଙ୍କ ସମେତ ୨୫ରୁ ଅଧିକ  କର୍ମଚାରୀମାନେ ଯୋଗ ଦେଇ ରକ୍ତଦାନ କରିଥିଲେ ।

ସ୍ବେଚ୍ଛାକୃତ ରକ୍ତଦାନ ଲାଗି ଲୋକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଜୁନ୍ ୧୪ ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଏ । ନୋବେଲ୍ ପୁରସ୍କାର ବିଜେତା କାର୍ଲ ଲ୍ୟାଣ୍ଡଷ୍ଟାଇନ୍‌ଙ୍କ ଜନ୍ମଦିନକୁ ବିଶ୍ବସ୍ତରରେ ରକ୍ତଦାତା ଦିବସ ଭାବେ ପାଳନ କରାଯାଏ। ରକ୍ତର ବର୍ଗୀକରଣ କରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି । ୨୦୦୪ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଏହି ଦିନକୁ ‘ବିଶ୍ବ ରକ୍ତଦାତା ଦିବସ’ ରୂପେ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା । ଏହାର ମୂଳ ଉଦ୍ଦେଶ୍ୟ ହେଉଛି, ସୁରକ୍ଷିତ ରକ୍ତଦାନର ଆବଶ୍ୟକତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା। ଚଳିତବର୍ଷ ଏହି ଦିବସର ଥିମ୍‌ ରହିଛି- Give blood, give plasma, share life, share often.

ଆମ୍ରି ହସ୍ପିଟାଲର ଠାରେ ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ରକ୍ତଦାନ ସମ୍ପର୍କିତ କର୍ମଶାଳା ଓ କୁଇଜ୍ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା। ଆମ୍ରି ହସ୍ପିଟାଲର ବ୍ଳଡ ବ୍ୟାଙ୍କ ଅଫିସର ତଥା ବିଭାଗୀୟ ମୁଖ୍ୟ ଡାକ୍ତର ଦେବୀ ପ୍ରସାଦ ଆଚାର୍ୟ୍ୟ କହିଥିଲେ, “ରକ୍ତଦାନ ଯୋଗୁଁ ଲକ୍ଷଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇପାରୁଛି। ରକ୍ତ ଅଭାବ ସମସ୍ୟାର ସମାଧାନ ପାଇଁ ସୁସ୍ଥ ବ୍ୟକ୍ତିମାନେ ନିୟମିତ ଭାବେ ରକ୍ତଦାନ କରିବା ଜରୁରୀ । ରକ୍ତଦାନ କଲେ, ହୃଦ୍‌ରୋଗ , ବ୍ରେନ୍ ଷ୍ଟ୍ରୋକ , କିଡନୀ ସମସ୍ୟା, ଦୂର ହୁଏ ଓ ରକ୍ତଚାପ, ରକ୍ତରେ ସୁଗର ଜାତୀୟ ଅଂଶ ସନ୍ତୁଳିତ ହୋଇଥାଏ। ମନୁଷ୍ୟ ଶରୀରରେ ରକ୍ତର କୌଣସି ବିକଳ୍ପ ନ ଥିବାରୁ ରକ୍ତ ଦାନ ମାଧ୍ୟମରେ ଏହା ସଂଗ୍ରହ କରିବା ଜରୁରୀ ହୋଇପଡିଛି”। ବୋଲି ଡାକ୍ତର ଆଚାର୍ୟ୍ୟ କହିଥିଲେ।