ଆଜି ସନ୍ଧ୍ୟା ସୁଦ୍ଧା ଲ୍ୟାଣ୍ଡଫଲ କରିବ ବାତ୍ୟା ‘ବିପର୍ଯ୍ୟୟ’ : ସ୍ଥଳଭାଗ ଛୁଇଁବା ବେଳେ ୧୩୫ କିଲୋମିଟର ବେଗରେ ବହିପାରେ ପବନ

322

କନକ ବ୍ୟୁରୋ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଆଜି ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ । ଗୁଜରାଟରେ ଜଖଉ ପୋର୍ଟ ଆଖପାଖରେ ବାତ୍ୟା ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁବା ବେଳେ ଘଣ୍ଟା ପ୍ରତି ପବନର ବେଗ ୧୨୫ରୁ ୧୩୫ କିଲୋମିଟର ବେଗରେ ରହିବ । ସ୍ଥଳ ବିଶେଷରେ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତଳିଆ ଅଞ୍ଚଳରେ ୬ ମିଟର ଉଚ୍ଚରେ ଜୁଆର ଉଠିବ ପାଣିପାଗ ବିଭାଗ ଆକଳନ କରିଛି । ତେଣୁ ଗୁଜରାଟର ତଳିଆ ଅଂଚଳ ସୌରାଷ୍ଟ୍ର ଏବଂ କଚ୍ଛରେ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ସୌରାଷ୍ଟ୍ର ଓ କଚ୍ଛର ତଳିଆ ଅଞ୍ଚଳର ପ୍ରାୟ ୭୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ବାତ୍ୟା ପ୍ରଭାବରେ ୯ଜଣଙ୍କର ମୃତ୍ୟୁ ହୋଇଛି ।

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ସେନାକୁ ମୁତୟନ କରାଯାଇଛି । ରସକ୍ୟୁ ଅପରେସନ ପାଇଁ ୧୮ ପ୍ଲାର୍ଟୁନ ଏନଡିଆରଏଫ ଟିମ ସହ ବିଏସଏଫ ଓ ବାୟୁସେନାର ହେଲିକ୍ୟାପ୍ଟର ମୁତୟନ କରାଯାଇଛି । ବାତ୍ୟା ଯୋଗୁଁ ଗୁଜରାଟର ଉପକୂଳ ଗିର, ଅମରେଲ, କଚ୍ଛ, ସୋମନାଥ ଆଦି ଜିଲ୍ଲାରେ ଦୁଇଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ପବନ ଓ ବର୍ଷା ପାଇଁ ପଶ୍ଚିମ ରେଳପଥରେ ଗୁଜରାଟରୁ ମୁମ୍ବାଇ ଚଳାଚଳ କରୁଥିବା ୬୯ ଟ୍ରେନ୍ ବାତିଲ କରାଯାଇଛି ।